ଟୋକିଓ : ଜାପାନର ହୋକାଇଡୋ ଅଞ୍ଚଳରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକାର ଜିଓଲୋଜିକାଲ ସର୍ଭେ ଏବଂ ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସି କହିଛି ଯେ ଶନିବାର ରାତିରେ ଉତ୍ତର ଜାପାନର ହୋକାଇଡୋରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଉପକୂଳବର୍ତ୍ତୀ ସହର କୁଶିରୋ ଓ ନିମୁରୋ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ପରେ ବର୍ତ୍ତମାନ କୌଣସି ସୁନାମି ସତର୍କ ସୂଚନା ଜାରି କରାଯାଇନାହିଁ।
ବର୍ତ୍ତମାନ ସୁଦ୍ଧା ଜାପାନର ସ୍ଥାନୀୟ ଗଣମାଧ୍ୟମ କୌଣସି କ୍ଷୟକ୍ଷତିର ଖବର ପ୍ରକାଶ କରିନାହାଁନ୍ତି । ୟୁଏସ ଜିଓଲୋଜିକାଲ ସର୍ଭେର ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ସମୟ ରାତି ୧୦ଟା ୨୭ ମିନିଟ୍ ରେ ପ୍ରାୟ ୪୩ କିଲୋମିଟର ଗଭୀରତାରେ ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି ଜାପାନୀ ଗଣମାଧ୍ୟମ ସୂଚନା ଦେଇଛି । ଭୂମିକମ୍ପକୁ ନେଇ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ସତର୍କ ରହିବାକୁ ବାସିନ୍ଦାଙ୍କୁ ଚେତାବନୀ ଦିଆଯାଇଛି ।
ଜାପାନରେ ଭୂମିକମ୍ପ ସାଧାରଣ କଥା । ଏହି କାରଣରୁ ଦେଶରେ ସ୍ବତନ୍ତ୍ର ପ୍ରକାରର ନିର୍ମାଣ ନିୟମ ରହିଛି, ଯାହା ଦ୍ୱାରା କୋଠାଗୁଡ଼ିକ ଶକ୍ତିଶାଳୀ ଭୂମିକମ୍ପକୁ ପ୍ରତିହତ କରିପାରିବେ । କେବଳ ଏତିକି ନୁହେଁ ବଡ଼ ଭୂମିକମ୍ପର ସମ୍ମୁଖୀନ ହେବାକୁ ନିୟମିତ ଜରୁରୀକାଳୀନ ଅଭ୍ୟାସ ମଧ୍ୟ କରାଯାଏ ।