ଜାଭା : ଇଣ୍ଡୋନେସିଆର ଜାଭା ଦ୍ବୀପ ନିକଟସ୍ଥ ଭାରତ ମହାସାଗରରେ ଆଜି ୫.୯ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପରେ ପୂର୍ବ ଜାଭା ଓ ବାଲି ଦ୍ବୀପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛି।
ଇଣ୍ଡୋନେସିଆର ଭୂବିଜ୍ଞାନ ସଂସ୍ଥା ବିଏମକେଜିର ସୂଚନା ଅନୁସାରେ ଏହି ଭୂମିକମ୍ପ ପୂର୍ବ ଜାଭାର ଦକ୍ଷିଣ ଉପକୂଳଠାରୁ ୯୧ କିଲୋମିଟର ଦୂର ଭାରତ ମହାସାଗର ମଧ୍ୟରେ ଏହି ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ଥିଲା ଓ ୯୬ କିଲୋମିଟର ଗଭୀରତାରେ ଏହା ସଂଘଠିତ ହୋଇଥିଲା ।
ତେବେ ଏହି ଭୂମିକମ୍ପ ପରେ ଅଳ୍ପ ତୀବ୍ରତାର ଆଉ କେତୋଟି ଭୂମିକମ୍ପ ହୋଇଥିଲେ ମଧ୍ୟ ସୁନାମୀର ଆଶଙ୍କା ନାହିଁ ବୋଲି ବିଏମକେଜି କହିଛି ।
ଏହି ଭୂମିକମ୍ପ ହେତୁ ପୂର୍ବ ଜାଭା ଓ ବାଲି ଦ୍ବୀପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଲୋକମାନଙ୍କର ଘର, ସରକାରୀ କୋଠା, ସଂସଦୀୟ ଭବନ ଓ କେତେକ ହସପିଟାଲର କୋଠା ଭାଙ୍ଗିଯାଇଛି । ତେବେ ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଏହି ଭୂମିକମ୍ପ ଯୋଗୁଁ ଲୁମାଜାଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛି । ଘରର କଂକ୍ରିଟ ଖସିପଡ଼ିବାରୁ ସେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଏହି ଭୂମିକମ୍ପ ଯୋଗୁଁ ବହୁ ବ୍ୟକ୍ତି ଆହତ ହୋଇଥିବା ସୂଚନା ରହିଛି।