ନେପାଳରେ ପୁଣି ଭୂମିକମ୍ପ, ଦିଲ୍ଲୀ ସମେତ ଉତ୍ତର-ଭାରତରେ କମ୍ପନ ଅନୁଭୂତ

ନୂଆଦିଲ୍ଲୀ : ନେପାଳରେ ଶନିବାରଦିନ ପୁଣି ଭୂମିକମ୍ପ ହୋଇଛି । ଶନିବାର ସଂଧ୍ୟା ୭ଟା ୫୭ ମିନିଟରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

ଏହି ଭୂମିକମ୍ପର ପ୍ରଭାବ ନୂଆଦିଲ୍ଲୀ ସମେତ ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର କେତେକ ସ୍ଥାନରେ ଅନୁଭୂତ ହୋଇଥିଲା । ଉତ୍ତରାଖଣ୍ଡର ପିଥୋରାଗଡ଼, ପାଉରି,ବାଗେଶ୍ବର ଆଦି ଅଂଚଳରେ ଭୂମିକମ୍ପର ସର୍ବାଧିକ ପ୍ରଭାବ ଅନୁଭୂତ ହୋଇଥିଲା । ଏହା ଫଳରେ ଲୋକମାନେ ଆତଙ୍କିତ ହୋଇ ନିଜ ଘରବାହାରକୁ ଚାଲିଆସିଥିଲେ ।

ଏହି ଭୂମିକମ୍ପର କେନ୍ଦ୍ରସ୍ଥ​ଳ ନେପାଳ ଥିବାବେଳେ ଏହା ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ହୋଇଥିଲା । ତେବେ ଏହି ଭୂମିକମ୍ପରେ କୌଣସୀ ଜୀବନହାନୀ ହୋଇଥିବା ଖବର ଏପର୍ଯ୍ୟନ୍ତ ମିଳିପାରିନାହିଁ ।

ଗତ ବୁଧବାରଦିନ ବୁଧବାର ଭୋରରେ ନେପାଳରେ ବଡ ଧରଣର ଭୂ-କମ୍ପ ଅନୁଭୂତ ହୋଇଥିଲା । ଉକ୍ତ ଘଟଣାରେ ୬ ଜଣଙ୍କ ଜୀବନ ଯାଇଥିଲା । ଅଧିକାଂଶ ମୃତକ ଥିଲେ ପଶ୍ଚିମ ନେପାଳର ଦୋତି ଜିଲ୍ଲାର । ଏହି ଘଟଣାରେ ୫ଜଣ ଗୁରୁତର ଆହତ ହୋଇଥିଲେ ।

୨୦୧୫ ଏପ୍ରିଲ ମାସରେ ନେପାଳରେ ଆସିଥିବା ଏକ ବଡ଼ଧରଣର ଭୂମିକମ୍ପରେ ପ୍ରାୟ ୮୯୬୪ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ଓ ପ୍ରାୟ ୨୧,୯୫୨ ଜଣ ଆହତ ହୋଇଥିଲେ । ଏହି ଭୂମିକମ୍ପ ଯୋଗୁଁ ନେପାଳ ଏକରକମ ଧ୍ବଂସସ୍ତୁପରେ ପରିଣତ ହୋଇଯାଇଥିଲା ।

 

ସମ୍ବନ୍ଧିତ ଖବର