ପୂର୍ବ ଋଷିଆରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୩
ମସ୍କୋ : ଋଷିଆର ପୂର୍ବାଞ୍ଚଳରେ ଥିବା ଚୁକୋଟକା ରାଜ୍ୟରେ ଆଜି ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ଜଣାପଡ଼ିଛି । ତେବେ ଏହି ଭୂମିକମ୍ପ ଯୋଗୁଁ କୌଣସି ଜୀବନହାନୀ ହୋଇଥିବା ସୂଚନା ମିଳିନାହିଁ ।
Sambad is now on WhatsApp
Join and get latest news updates delivered to you via WhatsApp
ୟୁରୋପର ମେଡିଟେରିଆନ ସେସମୋଲଜିକାଲ ସେଣ୍ଟର ପକ୍ଷରୁ କୁହାଯାଇଛି ଯେ ଋଷିଆର ସୁଦୂର ପୂର୍ବରେ ଥିବା ଚିକୋଟକା ଅଞ୍ଚଳରେ ଭାରତୀୟ ସମୟ ଅପରାହ୍ଣ ୨ଟା ବେଳେ ଏହି ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଚୁକୋଟକା ରାଜ୍ୟର ରାଜଧାନୀ ଆନାଡିରଠାରୁ ୪୧୬ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା । ତେବେ ଋଷିଆର ଭୂକମ୍ପ ଗବେଷଣା ସଂସ୍ଥା ଏହି ଭୂମିକମ୍ପର ତୀବ୍ରତା ୪.୬ ଥିଲା ବୋଲି ଦାବି କରିଛି । ଏହି ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଥିଲା ବୋଲି ମେଡିଟେରିଆନ ସେସମୋଲଜିକାଲ ସେଣ୍ଟର ପକ୍ଷରୁ କୁହାଯାଇଛି ।
ଋଷିଆର ଚିକୋଟକା ରାଜ୍ୟ ଏକ ସ୍ୱୟଂଶାସିତ ଅଞ୍ଚଳ । ପ୍ରତିକୂଳ ପାଗ ଯୋଗୁଁ ଏହି ଅଞ୍ଚଳରେ ଜନସଂଖ୍ୟାର ଘନତ୍ୱ କମ । ଶୀତଦିନରେ ଏଠାକାର ତାପମାତ୍ରା ବିଯୁକ୍ତ ୩୫ ଡିଗ୍ରି ପର୍ଯ୍ୟନ୍ତ ଚାଲିଯାଏ । ଏହି କାରଣରୁ ଏହି ଭୂମିକମ୍ପରେ ଅଳ୍ପ ଲୋକ ମୃତାହତ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଆମେରିକୀୟ ଭୂତତ୍ତ୍ୱ ସର୍ଭେ ଅନୁସାରେ ଏହି ଅଞ୍ଚଳରେ ନିୟମିତ ବ୍ୟବଧାନରେ ଭୂମିକମ୍ପ ଅନୁଭୂତ ହୋଇଥାଏ ।