ଟୋଙ୍ଗୋରେ ୭.୩ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା

ସିଡନି : ପ୍ରଶାନ୍ତ ମହାସାଗରୀୟ ଦ୍ବୀପଦେଶ ଟୋଙ୍ଗାରେ ଶନିବାରଦିନ (ଭାରତୀୟ ସମୟ ଶୁକ୍ରବାର ଅପରାହ୍ଣ)ରେ ଏକ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର କେନ୍ଦ୍ରସ୍ଥ​ଳ ସମୁଦ୍ର ମଧ୍ୟରେ ଥିବାରୁ ସୁନାମୀ ଆସିବାର ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି ଓ  ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ଆମେରିକାର ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ଭୂମିକମ୍ପ ରାଜଧାନୀ ନେଇଫୁଠାରୁ ୨୧୧ କିଲୋମିଟର ପୂର୍ବରେ ଥିଲା । ସମୁଦ୍ର ପୃଷ୍ଠରୁ ୨୪.୮ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ହୋଇଥିଲା ।

ସୁନାମୀ ସତର୍କତା ଜାରି ହେବା ପରେ ଟୋଙ୍ଗୋ ସରକାର ଲୋକମାନଙ୍କୁ ସତର୍କ କରାଇଦେଇଛନ୍ତି । ଲୋକମାନେ ଉପକୂଳ ଅଂଚଳରୁ ଦୂରେଇ ରହି ଆଭ୍ୟନ୍ତରୀଣ ଅଂଚଳକୁ ଚାଲିଯାଆନ୍ତୁ ବୋଲି ପରାମର୍ଶ ଦିଆଯାଇଛି । ଯେଉଁ ଜାହାଜଗୁଡ଼ିକ ସମୁଦ୍ରରେ ଅଛନ୍ତି ସେମାନେ ଭୂକମ୍ପ ଅଂଚଳଛାଡ଼ି ଗଭୀର ସମୁଦ୍ରକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି ।

ଟୋଙ୍ଗୋ ପାଖରେ ଥିବା ନ୍ୟୁଜିଲାଣ୍ଡରେ ବି ଏହି ଭୂମିକମ୍ପର ସାମାନ୍ୟ କମ୍ପନ ଅନୁଭୂତ ହୋଇଥିବା ସତ୍ତ୍ବେ ସୁନାମୀର କୌଣସି ଆଶଙ୍କା ନାହିଁ ବୋଲି ସେଠାକାର ଭୂତାତ୍ତ୍ବିକ ସଂସ୍ଥା ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ଟୋଙ୍ଗୋ ହେଉଛି ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଦ୍ବୀପରାଷ୍ଟ୍ର । ଏହା ଅଷ୍ଟ୍ରେଲିଆର ପୂର୍ବରେ ଓ ନ୍ୟୁଜିଲାଣ୍ଡର ଉତ୍ତର-ପୂର୍ବରେ ଅବସ୍ଥିତ ।

ସମ୍ବନ୍ଧିତ ଖବର