ଭୂମଧ୍ୟସାଗର ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ; ତୁର୍କୀରେ ୬ ମୃତ, ୨୦୨ ଆହତ , ଆସିଲା ସୁନାମି

ଇସ୍ତାନବୁଲ : ଭୂମଧ୍ୟସାଗର ଅଞ୍ଚଳରେ ଥିବା ଏଜିଆନ ସାଗରରେ ଏକ ୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ଖବର ହସ୍ତଗତ ହୋଇଛି । ଏହି ଭୂମିକମ୍ପର ପ୍ରଭାବ ତୁର୍କୀ ଓ ଗ୍ରୀସରେ ଅନୁଭୂତ ହୋଇଛି । ଏହି ଭୂମିକମ୍ପ ପ୍ରଭାବରେ ଏଜିଆନ ସାଗରରେ ଥିବା ଗ୍ରୀକ ଦ୍ବୀପ ସାମୋସରେ ସୁନାମି ଆସିଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ତୁର୍କୀରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୨ ଜଣ ଆହତ ହୋଇଥିବା ଜଣାଯାଇଛି ।

ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଏଜିଆନ ସାଗର ମଧ୍ୟରେ ଥିବା ଜଣାଯାଇଛି । ଏହାର ଗଭୀରତା ୧୬.୫ କିଲୋମିଟର ଥିବା ତୁର୍କୀର ଭୂ-ବିଜ୍ଞାନ ଏଜେନ୍ସି କହିଛି  ।

ଗ୍ରୀକ୍ ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ଯେ ଏହି ଭୂମିକମ୍ପ ପ୍ରଭାବରେ ଗ୍ରୀସର ସାମୋସ ସହର ଓ ତୁର୍କୀର ଇଜମୀର ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ଦୁଇ ସହରରେ ଥିବା ବହୁତଳ କୋଠା ଭୁଷୁଡ଼ିପଡିବା ସହ ରାସ୍ତାଘାଟରେ ଫାଟ ସୃଷ୍ଟି ହୋଇଛି । ଭୂମିକମ୍ପ ଆସିବା ପରେ ଏସବୁ ସହରରେ ରହୁଥିବା ଲୋକମାନେ ଭୟରେ ଏଣେତେଣେ ଦୌଡୁଥିବା ଦେଖାଯାଇଥିଲା ।

ଏହି ଭୂମିକମ୍ପ ଦ୍ବାରା ତୁର୍କୀର ଇଜମୀ ସହର ସମେତ ଆଖପାଖର ଆଉ କେତେକ ଅଞ୍ଚଳ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ଇଜମୀରେ ଅନେକ କୋଠା ଭାଙ୍ଗିଯାଇଥିବାରୁ ସେଥିରେ ଅନେକ ଲୋକ ଫସିରହିଥିବା ଜଣାଯାଇଛି  । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ୪ ଜଣ ଲୋକ ପ୍ରାଣ ହରାଇବା ସହ ୧୨୦ ଜଣ ଆହତ ହୋଇଛନ୍ତି ।

ଆମେରିକୀୟ ଓ ୟୁରୋପୀୟ ଭୂବିଜ୍ଞାନ ଏଜେନ୍ସିମାନେ ଏହି ଭୂମିକମ୍ପର ତୀବ୍ରତା ରିଚର ସ୍କେଲରେ ୭ ବୋଲି କହିଛନ୍ତି । ତେବେ ଗ୍ରୀସର  ଭୂବିଜ୍ଞାନ ଏଜେନ୍ସି ଏହି  ଭୂମିକମ୍ପର ତୀବ୍ରତା ରିଚର ସ୍କେଲରେ ୬.୭ ବୋଲି କହିଛି ।

ସମ୍ବନ୍ଧିତ ଖବର