ମିଜୋରାମରେ ୫.୩ ତୀବ୍ର ଭୂମିକମ୍ପ ଯୋଗୁଁ ଘରଦ୍ବାର ଓ ରାସ୍ତାଘାଟ ଆଂଶିକ ନଷ୍ଟ: ସମସ୍ତ ସମ୍ଭାବ୍ୟ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି
ନୂଆଦିଲ୍ଲୀ: ସୋମବାର ପାହାନ୍ତାରେ ମିଜୋରାମରେ ରିକ୍ଟର୍ସ୍କେଲ୍ରେ ୫. ୩ ତୀବ୍ରତାସମ୍ପନ୍ନ ଏକ ଭୂମିକମ୍ପ ସଂଘଠିତ ହୋଇ କେତେକ ସ୍ଥାନରେ ଅନେକ ଘର ଓ ରାସ୍ତାଘାଟ ଫଟାଇ ଦେଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ, ଏଥିରେ କେହି ମୃତାହତ ହୋଇ ନ ଥିବା କଥା ରାଜ୍ୟ ଭୂବିଜ୍ଞାନ ଓ ଖଣିଜ ସମ୍ବଳ ବିଭାଗ କହିଛି। ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜିରୁ ଉଦ୍ଧୃତ କରି ଉକ୍ତ ବିଭାଗ କହିଛି ଯେ, ରାତି ୪: ୧୦ରେ ସଂଘଠିତ ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ଥିଲା ଭାରତ-ମିଆଁମାର ସୀମାନ୍ତ ଅନ୍ତର୍ଗତ ଚମ୍ଫାଇ ଜିଲ୍ଲାର ଜୋଖ୍ବଥର।
ରାଜଧାନୀ ଆଇଜୱାଲ୍ ସମତେ ଅନେକ ଅଞ୍ଚଳରେ ଏହି ଭୂକମ୍ପନ ଅନୁଭୂତ ହୋଇଥିଲା। ଫଳରେ ଚମ୍ଫାଇ ଜିଲ୍ଲାର ଖ୍ବବୁଙ୍ଗା ଅନ୍ତର୍ଗତ ଜୋଖ୍ବଥରସ୍ଥିତ ଏକ ଗୀର୍ଜ ସମେତ କେତେଗୁଡ଼ିଏ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଏହାଛଡ଼ା, କେତେକ ସ୍ଥାନରେ ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ସଡ଼କ ମଧ୍ୟ ଫାଟିଯାଇଛି।
ଭୂମିକମ୍ପଜନିତ କ୍ଷୟକ୍ଷତିର ଭରଣା ପାଇଁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ସହାୟତା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମିଜୋରାମ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।