ତୁର୍କୀ ଓ ସିରିୟାରେ ୭.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ: ୧୦୦ରୁ ଅଧିକ ମୃତ; ବହୁ ଅଟ୍ଟାଳିକା ଧୂଳିସାତ୍‌

ନୂଆଦିଲ୍ଲୀ: ଆଜି ପାହାନ୍ତାରେ ଦକ୍ଷିଣ ତୁର୍କୀରେ ସଂଘଠିତ ଭୀଷଣ ଭୂମିକମ୍ପ ଯୋଗୁଁ ଅନେକ ଅଟ୍ଟାଳିକା ଧୂଳିସାତ୍‌ ହେବା ସହିତ ୧୦୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ଏପର୍ଯ୍ୟନ୍ତ ଜଣାପଡ଼ିଛି। ବାସଗୃହର ଭଙ୍ଗାରୁଜା ସ୍ତୂପ ତଳେ ଅନେକ ଲୋକ ପୋତି ହୋଇ ପଡ଼ିଥିବାରୁ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ବୃଦ୍ଧି ପାଇ ପା‌ରେ ବୋଲି ଆଶଙ୍କା ହେଉଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ତୁର୍କୀର ରାଷ୍ଟ୍ରାୟତ ଗଣମାଧ୍ୟମ ଅନୁସାରେ, ୫୩ଜଣଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ ସୁନିଶ୍ଚିତ କରିଛନ୍ତି। ସେଥିରୁ ମାଲାତ୍ୟା ପ୍ରଦେଶରେ ୨୩, ସାନ୍‌ଲ୍ୟୁର୍ଫାରେ ୧୭, ଦିୟାର୍‌ବକିର୍‌ରେ ୬ଜଣ ଓ ଓସ୍‌ମାନିୟେରେ ୫ଜଣଙ୍କର ମୃତ୍ୟୁ ଘଟିଛି। ଆନ୍ତର୍ଜାତିକ ସହାୟତା ପାଇଁ ନିବେଦନ କରି ତୁର୍କୀର ସରକାରୀ ଅଧିକାରୀମାନେ ‘ଲେଭେଲ୍‌ ୪ ଆଲାର୍ମ’ ଘୋଷଣା କରିଛନ୍ତି।

Image Courtesy of Deccan Herald

ଉତ୍ତରାଞ୍ଚଳ ସିରିୟାରେ ଅନ୍ୟୂନ ୪୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଅଲେପ୍ପୋରେ କେତେଗୁଡ଼ିଏ ଅଟ୍ଟାଳିକା ଧରାଶାୟୀ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। କମ୍ପନ ଏତେ ତୀବ୍ର ଥିଲା ଯେ, ସୁଦୂର ଲେବାନନ୍‌ ଓ ସାଇପ୍ରସ୍‌ରେ ମଧ୍ୟ ତାହା ଅନୁଭୂତ ହୋଇଥିଲା।

ତୁର୍କୀର ରାଷ୍ଟ୍ରପତି ରିସେପ୍‌ ତାୟିପ୍‌ ଏର୍ଡୋଗାନ୍‌ ଟୁଇଟ୍‌ କରି କହିଛନ୍ତି ଯେ, ଭୂମିକମ୍ପ ପ୍ରପୀଡ଼ିତ ଅଞ୍ଚଳକୁ ତୁରନ୍ତ ତଲାସ ଓ ଉଦ୍ଧାରକାରୀ ଟିମ୍‌ ପଠାଯାଇଛି।

‘ୟୁଏସ୍‌ଜିଏସ୍‌’ ତଥ୍ୟାବଳି ଅନୁସାରେ, ଗାଜିଆନତେପ୍‌ ପ୍ରଦେଶର ନୁର୍ଦାଗି ନଗରୀର ପୂର୍ବକୁ ୨୬ କିଲୋମିଟର୍‌ ଦୂରରେ ଭୂଗର୍ଭର ୧୭.୯ କି.ମି. ଅଭ୍ୟନ୍ତରରେ ପ୍ରଥମ ଭୂମିକମ୍ପଟି ସଂଘଠିତ ହୋଇଥିଲା। ଏହାର କେଇ ମୁହୂର୍ତ୍ତ ପରେ କେନ୍ଦ୍ରୀୟ ତୁର୍କୀରେ ଭୂଗର୍ଭର ୯.୯ କିଲୋମିଟର୍‌ ଅଭ୍ୟନ୍ତରରେ ଦ୍ବିତୀୟ ଭୂମିକମ୍ପ ସଂଘଠିତ ହୋଇଥିଲା।

ସମ୍ବନ୍ଧିତ ଖବର