ପାଟନା: ବୁଧବାର ପ୍ରତ୍ୟୁଷରେ ହରିୟାନା ଏବଂ ଜମ୍ମୁ ଓ କଶ୍ମୀରରେ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ସକାଳ ୧୦ଟା ସମୟରେ ବିହାର, ପଶ୍ଚିମ ବଙ୍ଗ ଓ ଉତ୍ତର-ପୂର୍ବ ଭାରତର କିଛି ସ୍ଥାନରେ ଭୂମିକମ୍ପର ତୀବ୍ର ଝଟକା ଲାଗିଛି। ରିକ୍ଟର ସ୍କେଲ୍ରେ ଏହି ଭୂକମ୍ପର ତ୍ରୀବ୍ରତା ୫.୫ ଥିବା କୁହାଯାଉଛି। ଏଯାବତ୍ ଏହି ଭୂକମ୍ପରେ କୌଣସି କ୍ଷୟ-କ୍ଷତି ହୋଇ ନଥିବା ସୂଚନା ମିଳିଛି। ଭୂକମ୍ପ ପାଖପାଖି ୨୫ରୁ ୩୦ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା କୁହାଯାଉଛି। ଘର, କାର୍ଯ୍ୟାଳୟ ଓ ଅନ୍ୟାନ୍ୟସ୍ଥାନରେ ଥିବା ଲୋକମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ। ବୁଧବାର ସକାଳେ ୧୦ଟା ସମୟରେ ଘଟିଥିବା ଏହି ଭୂକମ୍ପର କେନ୍ଦ୍ର ବାଂଲାଦେଶ ବୋଲି କୁହାଯାଉଛି। ସେହିପରି ଆସାମ, ନାଗାଲାଣ୍ଡ ଓ ମଣିପୁରେ ବି ଭୂକମ୍ପ ଅନୁଭୂତ ହୋଇଥିଲା।
ଅାଜିର ପ୍ରଥମ ଭୂମିକମ୍ପ ଭୋର୍ ପ୍ରାୟ ୫ଟା ୧୫ ମିନିଟ୍ ସମୟରେ ଜମ୍ମୁ ଓ କଶ୍ମୀରରେ ଅନୁଭୂତ ହୋଇଥିଲା। ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ଥିଲା ୪.୬ ଥିଲା। ଭାରତୀୟ ପାଣିପାଗ ସଂସ୍ଥାନ ମତରେ, ଉତ୍ତରକୁ ୩୫. ୬ଂ ଅକ୍ଷାଂଶ ଓ ପୂର୍ବକୁ ୭୬.୩ ଡିଗ୍ରି ଦ୍ରାଘିମାରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପ ଭୂଗର୍ଭର ୧୭୪ କିଲୋମିଟର୍ ଅଭ୍ୟନ୍ତରରେ ଉତ୍ପତ୍ତି ହୋଇଥିଲା। ଅନ୍ୟ ଭୂମିକମ୍ପଟି ଭୋର୍ ୫.୪୩ ମିନିଟ୍ରେ ହରିୟାନାର ଝାଜ୍ଜର୍ ଠାରେ ଅନୁଭୂତ ହୋଇଛି। ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ଥିଲା ୩.୧।