ଭୁମିକମ୍ପରେ ଦୋହଲିଗଲା ପଶ୍ଚିମ ଇଣ୍ଡୋନେସିଆ ଓ ଫିଲିପ୍ପିନ୍‌ସ୍‌; ଜାରି ହୋଇନି ସୁନାମି ସତର୍କ ସୂଚନା

ଜାକର୍ତା: ସୋମବାର ଦିନ ଅଗଭୀର ସମୁଦ୍ରରେ ସଂଘଠିତ ଗୋଟାଏ ଶକ୍ତିଶାଳୀ ଭୂମିକମ୍ପ ପଶ୍ଚିମ ଇଣ୍ଡୋନେସିଆ ଏବଂ ଫିଲିପ୍ପିନୀୟ ରାଜଧାନୀକୁ ଦୋହଲାଇ ଦେଇଥିଲେ ମଧ୍ୟ ବିଶେଷ କିଛି କ୍ଷୟକ୍ଷତି ହୋଇଥିବା ଖବର ମିଳିନାହିଁ କି, ସୁନାମି ସତର୍କ ସୂଚନା ଜାରି କରାଯାଇନାହିଁ।

‘ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ’ କହିଛି, ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରଦେଶ ଅନ୍ତର୍ଗତ ପାରିଆମାନ୍‌ ନଗରୀର ପଶ୍ଚିମକୁ ପ୍ରାୟ ୧୬୯ କିଲୋମିଟର୍‌ ଦୂର ସମୁଦ୍ର ମଧ୍ୟସ୍ଥ ଭୂଗର୍ଭର ୧୬ କିଲୋମିଟର୍‌ ଅଭ୍ୟନ୍ତରରେ ୬.୭ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି।

‘ଇଣ୍ଡୋନେସିଆନ୍‌ ମେଟେରୋଲୋଜି ଆଣ୍ଡ୍‌ ଜିଓଫିଜିକ୍ସ୍‌ ଏଜେନ୍‌ସି’ କହିଛି, ସୁମାତ୍ରା ପ୍ରଦେଶର ଅନେକ ପ୍ରାନ୍ତରେ କମ୍ପନ ଅନୁଭୂତ ହୋଇଥିଲେ ମଧ୍ୟ ସୁନାମି ବିପଦ ନାହିଁ। ଠିକ୍‌ ପାହାନ୍ତା ପୂର୍ବରୁ ସଂଘଠିତ ହୋଇଥିବା ଉକ୍ତ ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ଉତ୍ତର ସୁମାତ୍ରା ପ୍ରଦେଶର ଦକ୍ଷିଣ ନିଆସ୍‌ ଜିଲ୍ଲାର ଦକ୍ଷିଣପୂର୍ବ ଦିଗକୁ ପ୍ରାୟ ୧୬୧ ଦୂରବର୍ତ୍ତୀ ସ୍ଥାନ।

Image Courtesy of The Times of India

ସେହିପରି, ପାହାନ୍ତାରେ ୬.୪ ତୀବ୍ରତାସମ୍ପନ୍ନ ଗୋଟାଏ ଭୂମିକମ୍ପ ମଧ୍ୟ ଫିଲିପ୍ପିନୀୟ ରାଜଧାନୀ ଅଞ୍ଚଳକୁ ଦୋହଲାଇ ଦେଇଥିଲା। କିନ୍ତୁ, ଏଥିରେ ମଧ୍ୟ କିଛି କ୍ଷୟକ୍ଷତି ବା ଜୀବନହାନୀ ହୋଇଥିବା ଖବର ମିଳି ନ ଥିବା କଥା ‘ଫିଲିପ୍ପିନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭୋଲ୍‌କାନୋଲୋଜି ଆଣ୍ଡ୍‌ ସିସ୍ମୋଲୋଜି’ କହିଛି।

ମାନିଲା ଟ୍ରେଞ୍ଚ୍‌ ଗତିଶୀଳ ହୋଇଉଠିବାରୁ ଫିଲିପ୍ପିନ୍‌ସ୍‌ର ରାଜଧାନୀକୁ ଦୋହଲାଇ ଦେଇଥିବା ଭୂମିକମ୍ପଟି ସଂଘଠିତ ହୋଇଥିଲି। ମାନିଲାର ଦକ୍ଷିଣକୁ ‘ଅକ୍ସିଡେଣ୍ଟାଲ୍‌ ମିଣ୍ଡୋରୋ ପ୍ରଦେଶ ଅନ୍ତର୍ଗତ ଲୁବାଙ୍ଗ୍ ଦ୍ବୀପ ଠାରୁ ୧୧୦ କିଲୋମିଟର୍‌ ଦୂର ସମୁଦ୍ର ଜଳରାଶି ମଧ୍ୟସ୍ଥ ଭୂଗର୍ଭର ୨୮ କିଲୋମିଟର ଗଭୀରରେ ଏହାର କେନ୍ଦ୍ରସ୍ଥଳ ଥିଲା ବୋଲି ‘ଦି ଫିଲିପ୍ପିନ୍ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ କହିଛି।

ସମ୍ବନ୍ଧିତ ଖବର