ଇଜ୍‌ ଅଫ୍‌ ଲିଭିଂ ଇଣ୍ଡେକ୍ସ-୨୦୨୦: ବେଙ୍ଗାଲୁରୁ ରହିବା ପାଇଁ ସବୁଠୁ ଭଲ ସହର

୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ଭୁବନେଶ୍ବର ଦ୍ବିତୀୟ, ଶ୍ରୀନଗର, ମୁଜାଫରପୁର ସବୁଠୁ ଖରାପ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ‘ଇଜ୍‌ ଅଫ୍‌ ଲିଭିଙ୍ଗ୍‌ ଇଣ୍ଡେକ୍ସ ୨୦୨୦’ ପ୍ରକାଶ ପାଇଛି। ରହିବାପାଇଁ ସବୁଠୁ ଭଲ ସହର ସୂଚୀରେ ବେଙ୍ଗାଲୁରୁ ଶୀର୍ଷରେ ରହିଛି। ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ୪୯ ସହର ମଧ୍ୟରେ ବେଙ୍ଗାଲୁରୁ ରହିବାପାଇଁ ସବୁଠୁ ଭଲ ସହର ହୋଇଥିବା ‌ବେଳେ ପୁନେ ଦ୍ବିତୀୟ ସ୍ଥାନରେ ରହିଛି। ତେବେ ୧୦ ଲକ୍ଷରୁ କମ୍‌ ଜନସଂଖ୍ୟା ଥିବା ୬୨ ସହର ମଧ୍ୟରେ ରହିବାପାଇଁ ସବୁଠୁ ଭଲ ସହର ତାଲିକାରେ ଶିମ୍‌ଲା ଶୀର୍ଷରେ ରହିଛି। ଶିମ୍‌ଲା ପରେ ଭୁବନେଶ୍ବର ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି। କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ୧୦ ସହର ତାଲିକାରେ ବେଙ୍ଗାଲୁରୁ ପରେ ପୁନେ, ଅହମଦାବାଦ୍‌, ଚେନ୍ନାଇ, ସୁରଟ୍‌, ନାଭି ମୁମ୍ବାଇ, କୋଏମ୍ବାଟୁର, ଭ‌ଦୋଦରା, ଇନ୍ଦୋର ଏବଂ ଗ୍ରେଟର ମୁମ୍ବାଇ ରହିଛି। ଦିଲ୍ଲୀ ଏହି ତାଲିକାରେ ୧୩ତମ ସ୍ଥାନରେ ଥିବାବେଳେ ପ‌ଡ଼ୋଶୀ ଗାଜିଆବାଦ୍‌ ଏବଂ ଫରିଦାବାଦ୍‌ ଯଥାକ୍ରମେ ୩୦ ଏବଂ ୪୦ତମ ସ୍ଥାନରେ ରହିଛନ୍ତି। ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର ଭାବେ ଶ୍ରୀନଗର ଏବଂ ଧାନବାଦ ରହିବାପାଇଁ ସବୁଠୁ ଖରାପ ସହର ବିବେଚିତ ହୋଇଥିବାବେଳେ ୧୦ ଲକ୍ଷରୁ କମ୍‌ ଜନସଂଖ୍ୟା ଥିବା ସହର ଭାବେ ମୁଜାଫରପୁର, ସାତ୍‌ନା ରହିବାପାଇଁ ସବୁଠୁ ଖରାପ୍‌ ସହର ବିବେଚିତ ହୋଇଛି।

୨୦୨୦ ଇଜ୍‌ ଅଫ୍‌ ଲିଭିଂ ଇଣ୍ଡେକ୍ସ ପାଇଁ ହୋଇଥିବା ରୢାଙ୍କିଙ୍ଗ୍‌ ପ୍ରକ୍ରିୟାରେ ୧୧୧ ସହର ସାମିଲ ହୋଇଥିଲେ। ୨ଟି ‌ବର୍ଗରେ ସହରମାନଙ୍କୁ ସାମିଲ୍‌ କରାଯାଇଥିଲା। ଗୋଟିଏ ହେଉଛି ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଏବଂ ଆଉ ଗୋଟିଏ ୧୦ ଲକ୍ଷରୁ କମ୍‌ ଜନସଂଖ୍ୟା ଥିବା ସହର। ପଶ୍ଚିମବଙ୍ଗରୁ କୌଣସି ସହର ଏହି ପ୍ରକ୍ରିୟାରେ ସାମିଲ ‌ହୋଇନାହିଁ ବୋଲି ରିପୋର୍ଟରୁ ଜଣାପଡ଼ିଛି। ୧୦ ଲକ୍ଷରୁ କମ୍‌ ଜନସଂଖ୍ୟା ଥିବା ସହର ସୂଚୀରେ ଶିମ୍‌ଲା ଏବଂ ଭୁବନେଶ୍ବର ପରେ ସିଲ୍‌ଭାସା, କାକିନଡ଼ା. ସାଲେମ୍‌, ‌ଭେଲୋର, ଗାନ୍ଧୀନଗର, ଗୁରୁଗ୍ରାମ, ଦେବନଗରୀ, ତିରୁଚିରାପ୍ପଲ୍ଲି ରହିବାପାଇଁ ଶ୍ରେଷ୍ଠ ସହର ବି‌ବେଚିତ ହୋଇଛି। ତେବେ ସ୍ଥାନୀୟ ପ୍ରଶାସନ ଉପରେ ସନ୍ତୁଷ୍ଟି କ୍ଷେତ୍ରରେ ଭୁବନେଶ୍ବର ପ୍ରଥମେ ରହିଛି। ‘ମ୍ୟୁନିସପାଲ୍‌ ପରଫରମାନ୍ସ ଇଣ୍ଡେକ୍ସ’ ମଧ୍ୟ ପ୍ରକାଶ ପାଇଛି। ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ଶୀର୍ଷ ୧୦ ପୌରାଞ୍ଚଳ ମଧ୍ୟରେ ପ୍ରଥମେ ରହିଛି ଇନ୍ଦୋର। ଏହା ପଛକୁ ସୁରଟ୍‌, ଭୋପାଳ, ପିମ୍ପରି ଛିନ୍ଦୱାଡ଼ା, ପୁନେ, ଅହମଦାବାଦ, ରାୟପୁର, ଗ୍ରେଟର ମୁମ୍ବାଇ, ବିଶାଖାପାଟନମ୍‌ ଏବଂ ଭଦୋଦରା ରହିଛି। ଅନ୍ୟପକ୍ଷେ ୧୦ ଲକ୍ଷରୁ କମ୍‌ ଜନସଂଖ୍ୟା ଥିବା ଶୀର୍ଷ ୧୦ ମୁନିସିପାଲଟି ମଧ୍ୟରେ ପ୍ରଥମେ ନୂଆଦିଲ୍ଲୀ ରହିଛି ଏବଂ ଏହା ପଛକୁ ତିରୁପତି, ଗାନ୍ଧୀନଗର, କର୍ନଲ୍‌, ସଲେମ୍‌, ତିରୁପୁର, ବିଳାସପୁର, ଉଦୟପୁର, ଝାନ୍‌ସୀ ଏବଂ ତିରୁନେଲ୍‌‌ଭେଲି ଅଛି। ୪ଟି ପାରାମିଟର- ଜୀବନ ଧାରଣର ମାନ, ଆର୍ଥିକ କ୍ଷମତା, ନିରନ୍ତର ବିକାଶ ଏବଂ ଜନମତକୁ ନେଇ ଏହି ସୂଚୀ ପ୍ରସ୍ତୁତ ହୋଇଛି।

ସମ୍ବନ୍ଧିତ ଖବର