ନୂଆଦିଲ୍ଲୀ : କର୍ମଚାରୀ ଉତ୍ପାଦକତା (ଏସ୍ପି)ରେ ପୂର୍ବତଟ ରେଳପଥ ୨୦୨୦-୨୧ରେ ଦେଶରେ ୧୭ଟି ରେଳ ଜୋନ୍ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଉକ୍ତ ବର୍ଷ ଏହି ଜୋନ୍ ସର୍ବାଧିକ ୧୮୬୯ ନିୟୁତ ଏନ୍ଟିକେଏମ୍ (ନେଟ୍ ଟନ୍ କିଲୋମିଟର) ହାସଲ କରିଛି। ଆଜି ସିଏଜିଙ୍କ ଦ୍ବାରା ଉପସ୍ଥାପିତ ରେଳବାଇ ଆର୍ଥିକ ସଂକ୍ରାନ୍ତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।
୧୮୬୯ ନିୟୁତ ଏନ୍ଟିକେଏମ୍ ହାସଲ
୨୦୧୭-୧୮ରୁ ୨୦୨୦-୨୧ ମଧ୍ୟରେ ୮୮ଟି ଲାଇନଚ୍ୟୁତ
୫ ବର୍ଷରେ ୪ ହାତୀ ଓ ଶହେ ଅନ୍ୟାନ୍ୟ ପଶୁଙ୍କ ମୃତ୍ୟୁ
ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୨୦୨୦-୨୧ରେ ପୂର୍ବତଟ ରେଳପଥର ପରିଚାଳନା ଅନୁପାତ ୪୭.୩୪ ରହିଛି। ଯାହାକି ୧୭ଟି ରେଳ ଜୋନ୍ ମଧ୍ୟରେ ୧୬ତମ ସ୍ଥାନରେ ରହିଛି। ଦେଶରେ ୮୮ ପ୍ରତିଶତ କମ ପରିଚାଳନା ଅନୁପାତ ରହିଥିବା ୬ଟି ରେଳପଥ ମଧ୍ୟରେ ପୂର୍ବତଟ ରହିଛି। ବନ୍ଦର ସଂଯୋଗୀକରଣକୁ ନେଇ ଦେଶରେ ଗଠନ କରାଯାଇଥିବା ୭ଟି ଏସ୍ପିଭି ମଧ୍ୟରେ ହରିଦାସପୁର-ପାରାଦୀପ ଏବଂ ଅନୁଗୁଳ-ସୁକିନ୍ଦା ରେଲୱେ ଲିମିଟେଡ୍ ସଂପର୍କରେ ତଥ୍ୟ ରିପୋର୍ଟରେ ଦିଆଯାଇଛି। ହରିଦାସପୁର-ପାରାଦୀପ ୨୦୨୦-୨୧ରେ ୩୮.୮୩ କୋଟି ଟଙ୍କା ଲାଭ କରିଥିବା ବେଳେ ଅନୁଗୁଳ-ସୁକିନ୍ଦା ୨୦୨୧ ମାର୍ଚ ସୁଦ୍ଧା ଶେଷ ହୋଇପାରି ନାହିଁ। ଏହି ପ୍ରକଳ୍ପ କାର୍ଯ୍ୟ ୧୧ ବର୍ଷରୁ ଅଧିକ ବିଳମ୍ବ ହୋଇଛି। ପ୍ରକଳ୍ପ ପାଇଁ ନିର୍ଦ୍ଧାରିତ ଖର୍ଚ୍ଚ ପରିମାଣ ମଧ୍ୟ ୧୦୫୨ କୋଟି ଟଙ୍କାରୁ ୨୪୯୧.୦୫ କୋଟି ଟଙ୍କାକୁ ବୃଦ୍ଧି ଘଟିଛି।
ଲାଇନ୍ଚ୍ୟୁତ, ଅଗ୍ନିକାଣ୍ଡ ଓ ଅଗ୍ନି ନିର୍ବାପକ ଯନ୍ତ୍ର ସଂଯୋଗ ସମ୍ପର୍କରେ ମଧ୍ୟ ସିଏଜି ରିପୋର୍ଟ ପ୍ରସ୍ତୁତ ହୋଇଛି। ୨୦୧୭-୧୮ ରୁ ୨୦୨୦-୨୧ ମଧ୍ୟରେ ମୋଟ ୮୮ଟି ଲାଇନ୍ଚ୍ୟୁତ ଘଟଣା ଘଟିଛି। ୫ ବର୍ଷ ମଧ୍ୟରେ ଉକ୍ତ ଜୋନ୍ରେ ୩ଟି ଅଗ୍ନିକାଣ୍ଡ ଘଟଣାରେ ୫୩.୮୭ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ବେଳେ ନନ୍-ଏସି କୋଚ୍ ପାଇଁ ମଂଜୁର ୧୫୦୦ ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟରୁ ୯୮୦ଟି ଲଗାଯାଇଛି ଓ ୭୧୮ଟି ଲଗାଯାଇନି। ଏହା ରେଳ ପ୍ରଶାସନର ଢିଲା ପଣ ବୋଲି ରିପୋର୍ଟରେ କୁହାଯାଇଛି। ସେହି ଭଳି ପୂର୍ବତଟ ରେଳ ଜୋନ୍ରେ ଗତ ପାଞ୍ଚ ବର୍ଷରେ ଦୁର୍ଘଟଣାରେ ୪ଟି ହାତୀ ଓ ଶହେଟି ଅନ୍ୟ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି।