ଆଗ ଜେଲ ଖାଦ୍ୟର ସ୍ୱାଦ ଚାଖ; ଅନିଲ ଦେଶମୁଖଙ୍କ ଅନୁରୋଧକୁ ଖାରଜ କରି ଏଭଳି କହିଲେ ଅଦାଲତ

ନୂଆଦିଲ୍ଲୀ: ଚଳିତ ମାସ ଆରମ୍ଭରେ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଆଜି ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଆଜି ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବା ସହ ତାଙ୍କୁ ଘର ଖାଦ୍ୟ ଖାଇବାକୁ ଅନୁମତି ଦେଇନଥିବା ଜଣାପଡିଛି | ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଘର ଖାଦ୍ୟ ଖାଇବାକୁ ଅନୁମତି ଦେବା ପାଇଁ କହିଥିବା ବେଳେ ସ୍ୱତନ୍ତ୍ର କୋର୍ଟ ଏହାକୁ ଅନୁମତି ନଦେଇ କହିଛନ୍ତି ଯେ, ଆପଣ ପ୍ରଥମେ ଜେଲର ଖାଦ୍ୟ ଖାଆନ୍ତୁ। ଯଦି କିଛି ଅସୁବିଧା ହୁଏ, ତେବେ ପରେ ଏହା ଉପରେ ବିଚାର କରାଯିବ | ତେବେ ୭୧ ବର୍ଷିୟ ଅନିଲ ଦେଶମୁଖଙ୍କ ଚିକିତ୍ସା ଅବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଶୋଇବା ପାଇଁ ଖଟ ଦେବାକୁ ଅନୁମତି ଦେଇଛନ୍ତି କୋର୍ଟ |

ଉଲ୍ଲେଖଯୋଗ୍ୟ, ଏନ୍‌ସିବି ନେତା ଅନିଲ ଦେଶମୁଖଙ୍କୁ ନଭେମ୍ବର ୧ରେ ଗିରଫ କରାଯାଇଥିଲା। ୧୨ ଘଣ୍ଟାର ଜେରା ପରେ ସେ ଗିରଫ ହୋଇଥିଲେ। ଦେଶମୁଖଙ୍କ ବିରୋଧରେ ଥିବା ୧୦୦ କୋଟି ଟଙ୍କାର ଦାଦାବଟି ଆଦାୟ ମାମଲାରେ ତାଙ୍କୁ ଜେରା କରାଯାଇଥିଲା। ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମବୀର ସିଂହ ଦେଶମୁଖଙ୍କ ବିରୋଧରେ ଏହି ଅଭିଯୋଗ ଆଣିବାପରେ ସିବିଆଇ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପରମବୀର ସିଂହଙ୍କ ଅଭିଯୋଗ ଅନୁଯାୟୀ ଦେଶମୁଖ ନିଲମ୍ବିତ ପୁଲିସ ଅଫିସର୍‌ ସଚିନ ଭାଜେଙ୍କୁ ମୁମ୍ବାଇର ହୋଟେଲ୍ ଏବଂ ବାର୍‌ମାନଙ୍କରୁ ୧୦୦ କୋଟି ଟଙ୍କା ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଦେଶମୁଖ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର