ପ୍ରତିଦିନ ୨-୩ କିଲୋ ଗାଳି ଖାଉଛି: ମୋଦୀ

ତେଲେଙ୍ଗାନାରେ ସବୁଠି ପଦ୍ମ ଫୁଟିବ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କ ନାମ ନ ନେଇ ତାଙ୍କର ଦୁର୍ନୀତି ଓ ବଂଶବାଦ ରାଜନୀତିକୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟର ଜନସାଧାରଣ ଏପରି ସରକାର ଚାହାନ୍ତି, ଯିଏ ପରିବାରର ନୁହେଁ, ଲୋକଙ୍କ ସୁଖସୁବିଧାକୁ ପ୍ରାଧାନ୍ୟ ଦେଉଥିବ। ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ- ଆପଣ କେମିତି ଏତେ ପରିଶ୍ରମ କରିପାରୁଛନ୍ତି, ହାଲିଆ ହୋଇଯାଉ ନାହାନ୍ତି? ଏହାର ଉତ୍ତରରେ ମୋଦୀ କହିଥିଲେ- ମୁଁ ଜମାରୁ ହାଲିଆ ହେଉନାହିଁ, କାରଣ ମୁଁ ପ୍ରତିଦିନ ୨-୩ କିଲୋ ଗାଳି ଖାଉଛି… ଭଗବାନଙ୍କ ଆଶୀର୍ବାଦରୁ ଏହି ଗାଳି ମୋ ଭିତରକୁ ଯାଇ ପୁଷ୍ଟିରେ ପରିଣତ ହେଉଛି ଏବଂ ମୋତେ ଏହାକୁ ସକାରାତ୍ମକ ଭାବେ ନେବାକୁ ଉତ୍ସାହିତ କରୁଛି।

ମୋଦୀ କହିଥିଲେ- କିଛି ଲୋକ ହତାଶା, ଭୟ ବା ଅନ୍ଧବିଶ୍ବାସ ହେତୁ ତାଙ୍କୁ ଗାଳି ଦିଅନ୍ତି। ସେମାନେ ୨୦-୨୨ ବର୍ଷ ହେଲା ନାନା ଶବ୍ଦରେ ତାଙ୍କୁ ଗାଳିଦେଇ ଆସୁଛନ୍ତି। ସେମାନଙ୍କ ଅଭିଧାନରୁ ଶବ୍ଦ ସରିଗଲାଣି। ସେମାନେ ଗାଳି ଦେଉଛନ୍ତି କାରଣ ସେମାନଙ୍କ ପାଖରେ ଦେବାକୁ ଆଉ କିଛି ନାହିଁ। ଆଗକୁ ତେଲେଙ୍ଗାନାରେ ସବୁଠି ପଦ୍ମ ଫୁଟିବାକୁ ଯାଉଛି। ଜନତା ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟର ଶାସକ ଦଳ କେନ୍ଦ୍ରର ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ବଂଶବାଦକୁ ଉତ୍ସାହିତ କରୁଛି ଓ ଦୁର୍ନୀତିରେ ବୁଡ଼ି ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର