ନନ୍ଦିଗ୍ରାମ ମାମଲାରେ ଇସିଙ୍କ କାର୍ଯ୍ୟାନୁଷ୍ଠାନ: ୨ ବରିଷ୍ଠ ପୁଲିସ ଅଧିକାରୀ ନିଲମ୍ବିତ, ଜିଲ୍ଲାପାଳ ହଟିଲେ

ଆକ୍ରମଣ ନୁହେଁ, ମମତା ଦୁର୍ଘଟଣାରେ ଆହତ ହୋଇଥିଲେ

କୋଲକାତା: ନନ୍ଦୀଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ଘଟଣାରେ ଆଜି ନିର୍ବାଚନ କମିସନ କେତେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଘଟଣା ଦିନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ବରି‌ଷ୍ଠ ଆଇପିଏସ୍‌ ଅଫିସର୍‌ ବିବେକ ସହାୟଙ୍କୁ ଆଜି ନିର୍ବାଚନ କମିସନ ନିଲମ୍ବିତ କରିଛନ୍ତି। ତାଙ୍କ ସ୍ଥାନରେ ୨୦୦୯ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସୁନୀଲ ଯାଦବଙ୍କୁ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ବିଫଳ ହୋଇଥିବାରୁ ତାଙ୍କ ବିରୋଧରେ ଚାର୍ଜ ଫ୍ରେମ୍‌ କରିବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ମେଦିନିପୁର ଏସ୍‌ପି ପ୍ରବୀଣ ପ୍ରକାଶଙ୍କୁ ମଧ୍ୟ ଦାୟିତ୍ବରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି।

ମେଦିନିପୁର ଜିଲ୍ଲାପାଳ ବିଭୂ ଗୋଏଲ୍‌ଙ୍କୁ ମଧ୍ୟ ତତ୍କାଳ ତାଙ୍କ ପଦରୁ ହଟାଇ ସମସ୍ତ ନିର୍ବାଚନ ଦାୟିତ୍ବରୁ ମୁକ୍ତ କରାଯାଇଛି। ଆଜି ନିର୍ବାଚନ କମିସନ ପଞ୍ଜାବର ପୂର୍ବତନ ଡିଜିପି (ଇଣ୍ଟେଲିଜେନ୍ସ) ଅନିଲ କୁମାର ଶର୍ମାଙ୍କୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସ୍ବତନ୍ତ୍ର ପୁଲିସ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ବି‌ବେକ ଦୁବେଙ୍କ ବ୍ୟତୀତ ଶର୍ମା ଦ୍ବିତୀୟ ସ୍ବତନ୍ତ୍ର ପୁଲିସ ପର୍ଯ୍ୟବେକ୍ଷକ ଦାୟିତ୍ବ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ମମତା ଆହତ ହେବା ପଛରେ କୌଣସି ଆକ୍ରମଣ ଷଡ଼ଯନ୍ତ୍ର ନଥିଲା, ଏହା ଦୁର୍ଘଟଣାବଶତଃ ଘଟିଥିଲା ବୋଲି ନିର୍ବାଚନ କମିସନ ଆଜି ସ୍ପଷ୍ଟ କରିଛନ୍ତି।

ବାବୁଲ ସୁପ୍ରିୟୋଙ୍କ ସମେତ ୪ ସାଂସଦଙ୍କୁ ବିଜେପି ଟିକେଟ୍‌
ନୂଆଦିଲ୍ଲୀ: ପଶ୍ଚିମବଂଗ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ଆଉ ୨୭ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ସମେତ ୪ ସାଂସଦଙ୍କ ନାମ ରହିଛି ଏବଂ ସେମାନଙ୍କୁ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍‌ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ସୁପ୍ରିୟୋଙ୍କୁ ଟାଲିଂଗଜ ଆସନରୁ ପ୍ରାର୍ଥୀ କରାଯାଇଥିବା ବେଳେ ସାଂସଦ ନୀଶିଥ ପ୍ରମାଣିକଙ୍କୁ ଦିନହାଟ, ସାଂସଦ ଲକେଟ ଚାଟାର୍ଜୀଙ୍କୁ ଚୁଂଚୁରା ଏବଂ ରାଜ୍ୟସଭା ସାଂସଦ ସପନ ଦାସଗୁପ୍ତାଙ୍କୁ ତାରକେଶ୍ବର ଆସନରୁ ପ୍ରାର୍ଥୀ କରାଯାଇଛି।

ସମ୍ବନ୍ଧିତ ଖବର