ନୂଆଦିଲ୍ଲୀ: ଜାତି, ସମ୍ପ୍ରଦାୟ, ଭାଷା ଓ ଧାର୍ମିକ ଭିତ୍ତିରେ ପ୍ରଚାରରୁ ଦୂରେଇ ରହିବାକୁ ବିଜେପି ଓ କଂଗ୍ରେସକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଏଥିସହ ଭାରତର ସାମାଜିକ-ସାଂସ୍କୃତିକ ପରିବେଶକୁ ନିର୍ବାଚନ ପ୍ରଚାର ଆଳରେ କ୍ଷତି ପହଞ୍ଚାଇ ହେବ ନାହିଁ ବୋଲି କହିଛନ୍ତି ନିର୍ବାଚନ କମିଶନ।

Advertisment

ରାଜସ୍ଥାନର ବାଂଶଓ୍ଵାରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭାଜନମୂଳକ ଭାଷଣ ଦେଇଥିବା ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ନୋଟିସ୍‌ ଜାରି କରିବାର ପ୍ରାୟ ଏକ ମାସ ପରେ ନିର୍ବାଚନ ପର୍ଯ୍ୟବେକ୍ଷକ ତାଙ୍କ ଉତ୍ତରକୁ ପ୍ରତ୍ୟାଖ୍ୟାନ କରିବା ସହ ତାଙ୍କୁ ଏବଂ ତାଙ୍କ ଦଳର ଷ୍ଟାର ପ୍ରଚାରକମାନଙ୍କୁ ଧାର୍ମିକ ଓ ସାମ୍ପ୍ରଦାୟିକ ଭିତ୍ତିରେ ପ୍ରଚାରରୁ ଦୂରେଇ ରହିବାକୁ କହିଛନ୍ତି।

ଏପରି ଉଦ୍ୟମ ସମାଜକୁ ବିଭାଜିତ କରିପାରେ ବୋଲି ଆଶଙ୍କା କରି ଏ ଧରଣର ପ୍ରଚାର ଭାଷଣ ବନ୍ଦ କରିବାକୁ ମଧ୍ୟ ବିଜେପିକୁ କୁହାଯାଇଛି। ନଡ୍ଡାଙ୍କ ସହ ନିର୍ବାଚନ କମିଶନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେଙ୍କୁ ମଧ୍ୟ ସମାନ ନୋଟିସ୍‌ ଜାରି କରି ତାଙ୍କ ଏବଂ ମୁଖ୍ୟ ବିରୋଧୀ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ବିଜେପି ଦେଇଥିବା ଅଭିଯୋଗର ଜବାବ ଦେବାକୁ କହିଛନ୍ତି।

ନିର୍ବାଚନ କମିଶନ ମଧ୍ୟ ତାଙ୍କ ଉତ୍ତରକୁ ପ୍ରତ୍ୟାଖ୍ୟାନ କରିବା ସହ ପ୍ରତିରକ୍ଷା ବାହିନୀର ରାଜନୀତିକରଣ ନ କରିବାକୁ ଏବଂ ସଶସ୍ତ୍ର ବାହିନୀର ସାମାଜିକ-ଅର୍ଥନୈତିକ ଗଠନ ସମ୍ପର୍କରେ ସମ୍ଭାବ୍ୟ ବିଭାଜନକାରୀ ବୟାନ ନଦେବାକୁ କଂଗ୍ରେସକୁ କହିଛନ୍ତି।

ଏଥିସହିତ କଂଗ୍ରେସର ଷ୍ଟାର ପ୍ରଚାରକ ଓ ପ୍ରାର୍ଥୀମାନେ ଯେପରି ସମ୍ବିଧାନ ଉଚ୍ଛେଦ କିମ୍ବା ବିକ୍ରି ହୋଇପାରେ ବୋଲି ମିଥ୍ୟା ଧାରଣା ଦେଉଥିବା ବୟାନ ନ ଦିଅନ୍ତି, ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ଉଭୟ ଜାତୀୟ ଦଳର ସଭାପତିମାନେ ସେମାନଙ୍କ ଷ୍ଟାର ପ୍ରଚାରକମାନଙ୍କୁ ସେମାନଙ୍କ ବକ୍ତବ୍ୟ ସଂଶୋଧନ କରିବା ସହ ଏଦିଗରେ ଯତ୍ନ ନେବା ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଆନୁଷ୍ଠାନିକ ଦଳୀୟ ନିର୍ଦ୍ଦେଶ ଜାରି କରିବାକୁ ନିର୍ବାଚନ କମିଶନ କହିଛନ୍ତି।