ଅରାରିଆ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରରେ ନିର୍ବାଚନୀ ତାଲିକାର ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍) ଉପରେ ତୀବ୍ର ଆକ୍ରମଣ କରିଛନ୍ତି, ଏହାକୁ ‘ଗରିବଙ୍କ ଭୋଟକୁ ଚୋରି କରିବାର ଆନୁଷ୍ଠାନିକ ପଦ୍ଧତି’ ବୋଲି ସେ ଅଭିହିତ କରିଛନ୍ତି। ଅରାରିଆରେ ଆଜି ‘ଭୋଟର ଅଧିକାର ଯାତ୍ରା’ ସମୟରେ ଏକ ସମାବେଶକୁ ସମ୍ବୋଧିତ କରି ରାହୁଲ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ନିର୍ବାଚନ କମିସନ(ଇସି) ସହିତ ହାତ ମିଳାଇ ବିଜେପି ଗରିବଙ୍କୁ ଭୋଟ ଅଧିକାରରୁ ବଞ୍ଚିତ କରିବାକୁ ଷଡ୍ଯନ୍ତ୍ର କରିଛି ବୋଲି ରାହୁଲ କହିଛନ୍ତି। ସେ ନିର୍ବାଚନ କମିସନକୁ ‘ଇଲେକ୍ସନ ଓମିସନ’ ବୋଲି ବ୍ୟଙ୍ଗ କରି କହିଛନ୍ତି ଯେ ଏହା ବିଜେପିର ସ୍ୱାର୍ଥରେ ଭୋଟ ହେରଫେର କରୁଛି। ରାହୁଲ ଦାବି କରିଛନ୍ତି ଯେ ଏସ୍ଆଇଆର୍ ଜରିଆରେ ବିହାରର ନିର୍ବାଚନୀ ତାଲିକାରୁ ୬୫ ଲକ୍ଷ ଭୋଟରଙ୍କ ନାମ ହଟାଇ ଦିଆଯାଇଛି, ଯାହା ଦଳିତ, ପଛୁଆ ଶ୍ରେଣୀ, ଅଳ୍ପସଂଖ୍ୟକ, ଚାଷୀ ଓ ଶ୍ରମିକଙ୍କୁ ଅଧିକ ପ୍ରଭାବିତ କରୁଛି। ସେ କହିଛନ୍ତି, ‘ବିଜେପିର କୌଣସି ଅଭିଯୋଗ ନାହିଁ କାରଣ ସେମାନଙ୍କ ଭୋଟରଙ୍କ ନାମ ହଟୁନାହିଁ।’ ସେ ଶପଥ କରିଛନ୍ତି ଯେ ବିରୋଧୀ ଦଳ ଏହି ‘ଭୋଟ ଚୋରି’ ସଫଳ ହେବାକୁ ଦେବେ ନାହିଁ, ଏବଂ ବିହାରର ଜନତା ଆଗାମୀ ବିଧାନସଭା ନିର୍ବାଚନରେ ଏହାର ଜୋରଦାର ଜବାବ ଦେବେ। ଆଜି ଅରାରିଆରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଓ ତେଜସ୍ୱୀ ହାଲୁକା ଭାବବିନିମୟ କରିବା ସହ ଏଲ୍ଜେପି (ରାମବିଳାସ) ନେତା ଚିରାଗ ପାସୱାନଙ୍କୁ ବିବାହ ବିଷୟରେ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି। ତେଜସ୍ବୀ କହିଥିଲେ ଆମେ ଚିରାଗ ପାସୱାନଙ୍କୁ ପରାମର୍ଶ ଦେବୁ ଯେ ସେ ଶୀଘ୍ର ବିବାହ କରନ୍ତୁ। ଏହାପରେ ରାହୁଲ କହିଥିଲେ, ଏଭଳି ପରାମର୍ଶ ମୋ କ୍ଷେତ୍ରରେ ମଧ୍ୟ ଲାଗୁ ହେଉଛି।
ସୂଚନାଯୋଗ୍ୟ, ଅଗଷ୍ଟ ୧୭ରୁ ବିହାରର ସାସାରାମରେ ଆରମ୍ଭ ହୋଇଥିବା ‘ଭୋଟର ଅଧିକାର ଯାତ୍ରା’ ୨୦ରୁ ଅଧିକ ଜିଲ୍ଲା ଦେଇ ସେପ୍ଟେମ୍ବର ୧ରେ ପାଟନାରେ ପହଞ୍ଚିବ ଏବଂ ସେଠାରେ ଏକ ବିଶାଳ ସମାବେଶରେ ଶେଷ ହେବ।