ମାଗଣା ବଣ୍ଟନ ପାଇଁ ଟଙ୍କା କେଉଁଠୁ ଆସିବ ତାହାବି ଭୋଟରଙ୍କୁ ଜଣାଅ : ଦଳମାନଙ୍କୁ କହିଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ : ରାଜନୈତିକ ଦଳମାନଙ୍କ ଦ୍ବାରା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଘୋଷଣା କରାଯାଉଥିବା ମାଗଣା  ବଣ୍ଟନ ସ୍କିମ ପ୍ରସଙ୍ଗରେ ଭାରତର ନିର୍ବାଚନ କମିସନ କେତେକ ପରାମର୍ଶ ଜାରି କରିଛନ୍ତି । ରାଜନୈତିକ ଦଳମାନଙ୍କୁ ଏହି ପରାମର୍ଶ ଜାରି କରି କମିସନ କହିଛନ୍ତି ଯେ ଭୋଟରମାନଙ୍କ ପାଇଁ ଘୋଷଣା କରାଯାଉଥିବା ସ୍କିମ ପାଇଁ ଅର୍ଥ କେଉଁଠୁ ଯୋଗାଡ଼ ହେବ ସେ ସମ୍ପର୍କରେ ବି ଭୋଟରଙ୍କୁ ଜଣାଇଦିଆଯିବା ଉଚିତ୍ ।

“ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ଉପାୟରେ ଉପଯୁକ୍ତ ସମୟରେ ନିର୍ବାଚନ କରିବା କୌଣସି ଗଣତନ୍ତ୍ର ପାଇଁ ଅବିଚ୍ଛେଦ୍ୟ ଅଟେ। ‘ମୁକ୍ତ, ନିରପେକ୍ଷ’ ଏବଂ ସ୍ୱଚ୍ଛ ନିର୍ବାଚନର ସଂକଳ୍ପରେ ଅନେକ ଦିଗ ରହିଛି। ଏଥିରେ ଅନ୍ତର୍ଭୁକ୍ତ ରହିଛି, ଭୋଟରମାନେ ଯେପରି ସହଜରେ ଏବଂ ବିନା ଭୟରେ କିମ୍ବା ଲୋଭରେ ଭୋଟ ଦେଇପାରିବେ ।

ସ୍ବଚ୍ଛ ନିର୍ବାଚନର ଆଉ ଏକ ଦିଗ ହେଲା ଭୋଟରମାନଙ୍କୁ ସୁଶିକ୍ଷିତ କରିବା । ନିର୍ବାଚନର ପ୍ରତି ପର୍ଯ୍ୟାୟର ସୂଚନା ସେମାନଙ୍କ ନିକଟରେ ଠିକ ଭାବରେ ପହଞ୍ଚାଇବା ବୋଲି କମିସନ କହିଛନ୍ତି ।

ଏହି ପ୍ରସଙ୍ଗରେ ଗତ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ କହିଥିଲେ ଯେ, ଜନକଲ୍ୟାଣମୂ​ଳକ ସ୍କିମ୍ ଓ ମାଗଣା ବଣ୍ଟନ ମଧ୍ୟରେ ଏକ ତଫାତ୍ ରହିଛି । ଆମେ ଅର୍ଥନୀତି ଓ ସମାଜ କଲ୍ୟାଣ ମଧ୍ୟରେ ଏକ ଭାରସାମ୍ୟ ରଖିବା ଉଚିତ । ତେବେ ଅଯଥା ଓ ଅଯୁକ୍ତିକର ମାଗଣା ସ୍କିମ ଘୋଷଣା କରୁଥିବା ରାଜନୈତିକ ଦଳଙ୍କ ମାନ୍ୟତା ପ୍ରତ୍ୟାହାର ନେଇ କୌଣସି ନିର୍ଦ୍ଦେଶ ଦିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିବା ସହ ଏହାର ଦାୟିତ୍ବ ନିର୍ବାଚନ କମିସନଙ୍କ ଉପରେ ନ୍ୟସ୍ତ କରିଥିଲେ ।

 

 

ସମ୍ବନ୍ଧିତ ଖବର