ଗୁଜରାଟ ବିଧାନସଭା ନିର୍ବାଚନ: କମ୍ ମତଦାନ ପାଇଁ ଚିନ୍ତା ପ୍ରକଟ କଲେ ଇସି
ସହରାଞ୍ଚଳରୁ ଅଧିକ ଭୋଟର ମତଦାନ ପାଇଁ ଅନିଚ୍ଛୁକ, ଦ୍ବିତୀୟ ପର୍ଯ୍ୟାୟରେ ବିପୁଳ ଅଂଶଗ୍ରହଣ ପାଇଁ ଅନୁରୋଧ
ଅହମଦାବାଦ : ଆସନ୍ତା ଡିସେମ୍ବର ୫ ତାରିଖରେ ଗୁଜରାଟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ତେବେ ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କମ୍ ମତଦାନ ହୋଇଥିବାରୁ ଇସି (ନିର୍ବାଚନ କମିସନ୍) ଏଥିପାଇଁ ଚିନ୍ତା ପ୍ରକଟ କରିଛନ୍ତି। ସହରାଞ୍ଚଳରେ ଅଧିକାଂଶ ଭୋଟର ମତଦାନ ସାବ୍ୟସ୍ତ କରିବାପାଇଁ ଅନିଚ୍ଛୁକ। ଏହି କାରଣ ପାଇଁ ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ପ୍ରତିଶତ କମିଛି ବୋଲି ଇସି କହିଛନ୍ତି। ତେଣୁ ଦ୍ବିତୀୟ ପର୍ଯ୍ୟାୟରେ ଅଧିକ ସଂଖ୍ୟାରେ ଭୋଟର ଉତ୍ସାହର ସହ ଭୋଟିଂରେ ଅଂଶଗ୍ରହଣ କରିବାପାଇଁ ଇସି ଅନୁରୋଧ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୮୯ ନିର୍ବାଚନ ମଣ୍ଡଳୀରେ ୬୩.୧୪ ପ୍ରତିଶତ ମତଦାନ ହୋଇଛି। ୨୦୧୭ ବିଧାନସଭା ନିର୍ବାଚନରେ ଏହି ସମାନ ନିର୍ବାଚନମଣ୍ଡଳୀରୁ ମତଦାନ ୬୬.୭୫ ପ୍ରତିଶତ ରହିଥିଲା। ଇସି କହିଛନ୍ତି ଚଳିତ ବର୍ଷ ରାଜ୍ୟର ହାରାହାରି ମତଦାନଠାରୁ ସୁରଟ, ରାଜକୋଟ ଏବଂ ଜାମନଗରରେ କମ୍ ମତଦାନ ରେକର୍ଡ କରାଯାଇଛି। ନିକଟରେ ହିମାଚଳରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଶିମଲାରେ ୬୨.୫୩ ପ୍ରତିଶତ ମତଦାନ ହୋଇଥିଲା। ଏହା ରାଜ୍ୟର ହାରାହାରି ମତଦାନ ୭୫.୬ ପ୍ରତିଶତଠାରୁ ୧୩ ପ୍ରତିଶତ କମ୍ ଥିଲା। ଗୁଜରାଟରେ ମଧ୍ୟ ସମାନ ସ୍ଥିତି। ତେବେ ଦ୍ବିତୀୟ ପର୍ଯ୍ୟାୟରେ ବିପୁଳ ସଂଖ୍ୟାରେ ଭୋଟର ମତଦାନ କରିବାପାଇଁ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଅନୁରୋଧ କରିଛନ୍ତି। କୁମାର କହିଛନ୍ତି, ୨୦୧୭ ନିର୍ବାଚନର ଭୋଟ୍ ପ୍ରତିଶତକୁ ଅତିକ୍ରମ କରିବାର ସମ୍ଭାବନା ଏବେ କେବଳ ସେମାନଙ୍କ ଅଧିକ ଅଂଶଗ୍ରହଣ ଉପରେ ନିର୍ଭର କରୁଛି।
ସୁରଟ, ରାଜକୋଟ ଏବଂ ଜାମନଗରରେ ସବୁଠାରୁ କମ୍ ମତଦାନ ହୋଇଛି। କଚ୍ଛ ଜିଲ୍ଲାର ଗାନ୍ଧିଧାମ ନିର୍ବାଚନ ମଣ୍ଡଳିରେ ସବୁଠୁ କମ୍ ମତଦାନ ପ୍ରତିଶତ ୪୭.୮୬ ପ୍ରତିଶତ ରେକର୍ଡ କରାଯାଇଛି। ଗତ ନିର୍ବାଚନ ତୁଳନାରେ ଏଠାରେ ମତଦାନ ୬.୩୪ ପ୍ରତିଶତ କମିଛି। ସୁରଟର କରଂଜରେ ଦ୍ବିତୀୟ ସର୍ବନିମ୍ନ ମତଦାନ ୫୦.୫୪ ପ୍ରତିଶତ ରେକର୍ଡ କରାଯାଇଛି। ୨୦୧୭ ନିର୍ବାଚନ ତୁଳନାରେ ଏଠାରେ ୫.୩୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ନିର୍ବାଚନ କମିସନ୍ କହିଛନ୍ତି, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ନିର୍ବାଚନମଣ୍ଡଳିରେ ମତଦାନ ପ୍ରତିଶତ ମଧ୍ୟରେ ଥିବା ବ୍ୟବଧାନ ସ୍ପଷ୍ଟ ଜଣାପଡ଼ୁଛି।