ନୂଆଦିଲ୍ଲୀ : ନିର୍ବାଚନୀ ରାଲି ଓ ରୋଡସୋ ଉପରେ ନିର୍ବାଚନ ଆୟୋଗ ଲଗାଇଥିବା କଟକଣାକୁ ଆସନ୍ତା ଫେବ୍ରୁଆରି ୧୧ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ତେବେ ଏଥର କଟକଣାକୁ କିଛିଟା କୋହଳ କରାଯାଇଛି ।  ପୂର୍ବରୁ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିବାକୁ ସର୍ବାଧିକ ୧୦ ଜଣଙ୍କୁ ଅନୁମତି ଥିବାବେଳେ ଏବେ ତାହାକୁ ୨୦ ଜଣକୁ ବୃଦ୍ଧି କରାଯାଇଛି । ଖୋଲା ସ୍ଥାନରେ ୧୦୦୦ ଜଣ ଲୋକଙ୍କୁ ନେଇ ନିର୍ବାଚନୀ ସଭା କରିବାକୁ ଅନୁମତି ଦିଆଯାଇଛି । ପୂର୍ବରୁ ସର୍ବାଧିକ ୫୦୦ ଲୋକଙ୍କୁ ନେଇ ସଭା କରିବାକୁ ଅନୁମତି ଦିଆଯାଇଥିଲା । ସେହିପରି ଆବଦ୍ଧସ୍ଥାନରେ ସର୍ବାଧିକ ୫୦୦ ଲୋକଙ୍କୁ ନେଇ ନିର୍ବାଚନ ପ୍ରଚାର ସଭା କରିହେବ । ପୂର୍ବରୁ ଏହି ସୀମା ୩୦୦ ଥିଲା । ତେବେ ଏସବୁ କରିବାବେଳେ କୋଭିଡ ନିୟମ ପାଳନ କରାଯିବ ବୋଲି ଆୟୋଗ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ତେବେ ଫେବ୍ରୁଆରି ୧୧ ପର୍ଯ୍ୟନ୍ତ କୌଣସି ରୋଡ ସୋ, ସାଇକେଲ ବା ବାଇକ ରାଲିକୁ ଅନୁମତି ଦିଆଯିବ ନାହିଁ ।

Advertisment

ସୂଚନାଯୋଗ୍ୟ ଯେ ଆସନ୍ତା ଫେବ୍ରୁଆରି ୧୦ରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏହି ୫ଟି ରାଜ୍ୟ ହେଲା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର । ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ହେବ । ଫେବ୍ରୁଆରି ୧୦ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ୨ୟ ପର୍ଯ୍ୟାୟ ନିର୍ବାଚନ ୧୪ ଫେବ୍ରୁଆରିରେ ୪ଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ହେବ । ମଣିପୁରରେ ଫେବ୍ରୁଆରି ୨୭ ଓ ମାର୍ଚ୍ଚ ୩ରେ ଭୋଟ ଗ୍ରହଣ ହେବ ।