ପ୍ରଥମ ଥର ପାଇଁ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ‘ଭୋଟ୍‌-ଫ୍ରମ୍‌-ହୋମ୍‌’ ବିକଳ୍ପ ଆଣିଲେ ନିର୍ବାଚନ କମିଶନ

ବେଙ୍ଗାଲୁରୁ/ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆଗାମୀ ବିଧାନସଭା ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମଙ୍କ ପାଇଁ ଭୋଟ୍‌- ଫ୍ରମ୍‌- ହୋମ୍‌ (ଭିଏଫଏଚ୍‌) ସୁବିଧା ଆରମ୍ଭ କରାଯାଇଛି।

ପ୍ରଥମ ଥର ପାଇଁ ଭାରତର ନିର୍ବାଚନ କମିଶନ (ଇସିଆଇ) ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହି ସୁବିଧା ଦେବାକୁ ଯାଉଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବେଙ୍ଗାଲୁରୁରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆମ ଟିମ୍‌ ଫର୍ମ-୧୨ଡି ସହ ସେମାନଙ୍କ ନିକଟକୁ ଯିବେ ଓ ସେମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଯଦିଓ ଆମେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମତଦାନ କେନ୍ଦ୍ରକୁ ଆସିବାକୁ ପ୍ରୋତ୍ସାହିତ କରୁଛୁ, କିନ୍ତୁ ଯେଉଁମାନେ ମତଦାନ କେନ୍ଦ୍ରକୁ ଆସିବାକୁ ସମର୍ଥ ହେବେ ନାହିଁ ସେମାନେ ଏହି ସୁବିଧା ପାଇପାରିବେ ବୋଲି ସେ କହିଛନ୍ତି। ମତଦାନର ଗୋପନୀୟତା ବଜାୟ ରଖାଯିବ ଏବଂ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ନିର୍ବାଚନ କମିଶନ ରାଜୀବ କୁମାର ସ୍ପଷ୍ଟ କରିଛନ୍ତି। ଭୋଟ୍‌-ଫ୍ରମ୍‌-ହୋମ୍‌ (ଭିଏଫଏଚ୍‌) ପାଇଁ ସମସ୍ତ ରାଜନୈତିକ ଦଳକୁ ଅବଗତ କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି।

ଭିନ୍ନକ୍ଷମଙ୍କ ପାଇଁ ଏକ ମୋବାଇଲ୍‌ ଆପ୍‌ ‘ସକ୍ଷମ’ ଆରମ୍ଭ କରାଯାଇଛି, ଯେଉଁଥିରେ ସେମାନେ ଲଗଇନ୍‌ କରି ଭୋଟ୍‌ ଦେବାର ସୁବିଧା ବାଛିପାରିବେ ବୋଲି ସିଇସି କହିଛନ୍ତି।

ଅନ୍ୟ ଏକ ମୋବାଇଲ୍‌ ଆପ୍ଲିକେସନ୍‌ ‘ସୁବିଧା’ ବିକଶିତ ହୋଇଛି, ଯାହା ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ର ଓ ସତ୍ୟପାଠ ଦାଖଲ ପାଇଁ ଏକ ଅନଲାଇନ୍‌ ପୋର୍ଟାଲ୍‌ ଭାବେ କାର୍ଯ୍ୟ କରିବ। ପ୍ରାର୍ଥୀମାନେ ସଭା ଏବଂ ରାଲି ନିମନ୍ତେ ଅନୁମତି ନେବା ପାଇଁ ସୁବିଧା ପୋର୍ଟାଲ ବ୍ୟବହାର କରି ପାଇ ପାରିବେ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି।
ଭୋଟରଙ୍କ ସୁବିଧା ପାଇଁ ନିର୍ବାଚନ କମିଶନ ‘ନୋ ୟୋର କ୍ୟାଣ୍ଡିଡେଟ’ (କେୱାଇସି) ନାମରେ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି। ରାଜନୈତିକ ଦଳମାନେ ନିଜ ପୋର୍ଟାଲ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭୋଟରଙ୍କୁ ଜଣାଇବା ଦରକାର ଯେ ସେମାନେ କାହିଁକି ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ବାଛିଲେ ଏବଂ ନିର୍ବାଚନ ଲଢ଼ିବା ପାଇଁ ସେମାନଙ୍କୁ ଦଳୀୟ ଟିକେଟ ଦେଲେ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସଂପର୍କରେ ନିର୍ବାଚନ କମିଶନ ଉଲ୍ଲେଖ କରିଛନ୍ତି ଯେ ୨୨୪ ଟି ନିର୍ବାଚନ ମଣ୍ଡଳୀ ଥିବା କର୍ଣ୍ଣାଟକ ରାଜ୍ୟରେ ଅନୁସୂଚିତ ଜାତିଙ୍କ ପାଇଁ ୩୬ ଟି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ୧୫ ଟି ଆସନ ସଂରକ୍ଷିତ ରହିଛି। ୨.୫୯ କୋଟି ମହିଳା ଭୋଟରଙ୍କୁ ମିଶାଇ ରାଜ୍ୟରେ ମୋଟ ୫.୨୧ କୋଟି ଭୋଟର ଅଛନ୍ତି। ଏମାନଙ୍କ ମଧ୍ୟରେ ୧୬,୯୭୬ ଜଣ ଶତାୟୁ ଭୋଟର ଥିବାବେଳେ ୪,୬୯୯ ତୃତୀୟ ଲିଙ୍ଗ ଏବଂ ୯.୧୭ ଲକ୍ଷ ପ୍ରଥମ ଥର ଭୋଟର ରହିଛନ୍ତି।

ସମ୍ବନ୍ଧିତ ଖବର