ବେଙ୍ଗାଲୁରୁ : ସିଦ୍ଧରମୈୟାଙ୍କ ନେତୃତ୍ୱାଧୀନ କର୍ଣ୍ଣାଟକର କଂଗ୍ରେସ ସରକାରଙ୍କୁ ନିର୍ବାଚନ କମିସନ ନୋଟିସ ଜାରି କରିଛନ୍ତି । ବିନା ଅନୁମତିରେ ତେଲେଙ୍ଗାନାରେ ସରକାରୀ ବିଜ୍ଞାପନ ପ୍ରକାଶ କରି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଏହି ନୋଟିସ ଜାରି କରାଯାଇଛି ।
ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ତେଲେଙ୍ଗାନାର ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) କହିଛନ୍ତି ଯେ କର୍ଣ୍ଣାଟକ ସରକାର ଅନେକ ଖବରକାଗଜର ହାଇଦ୍ରାବାଦ ସଂସ୍କରଣରେ ବିଜ୍ଞାପନ ପ୍ରକାଶ କରିଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିର୍ବାଚନ କମିସନ କହିଛନ୍ତି ଯେ ସେମାନେ ଏହାର ରେକର୍ଡ ଯାଞ୍ଚ କରିଛନ୍ତି ଏବଂ ଜାଣିବାକୁ ପାଇଛନ୍ତି ଯେ କଂଗ୍ରେସକୁ ଏଭଳି ଅନୁମୋଦନ ଦିଆଯାଇନାହିଁ କିମ୍ବା କର୍ଣ୍ଣାଟକ ସରକାରଙ୍କ ଏପରି କୌଣସି ଆବେଦନ କୌଣସି ନିଷ୍ପତ୍ତି ପାଇଁ ବିଚାରାଧୀନ ନାହିଁ।
ନିର୍ବାଚନ କମିସନଙ୍କ ନିର୍ଦ୍ଦେଶର ଘୋର ଉଲ୍ଲଂଘନ କରି କର୍ଣ୍ଣାଟକ ସରକାର ତେଲେଙ୍ଗାନାରେ ପ୍ରସାରିତ ଖବରକାଗଜରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଏବଂ ଉପଲବ୍ଧି ସମ୍ପର୍କରେ ବିଜ୍ଞାପନ ପ୍ରକାଶ କରିଛନ୍ତି। ଏହା ପରୋକ୍ଷରେ ନିର୍ବାଚନ ହେବାକୁ ଥିବା ତେଲେଙ୍ଗାନାରେ କଂଗ୍ରେସର ପ୍ରଚାର କରୁଛି । ଏହା ଆଦର୍ଶ ଆଚରଣବିଧିର ଉଲ୍ଲଙ୍ଘନ ବୋଲି ବିଜେପି ଓ ବିଆରଏସ ପକ୍ଷରୁ ଅଭିଯୋଗ କରାଯାଉଛି ।
ନିର୍ବାଚନ ଆୟୋଗ କର୍ଣ୍ଣାଟକ ସରକାରଙ୍କୁ ନଭେମ୍ବର ୨୮ ସୁଦ୍ଧା ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି। ତେଲେଙ୍ଗାନାରେ ଏଭଳି ବିଜ୍ଞାପନ ପ୍ରକାଶକୁ ତୁରନ୍ତ ବନ୍ଦ କରିବାକୁ ନିର୍ବାଚନ ଆୟୋଗ ସିଦ୍ଧରମୈୟା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।