ରମ୍‌ଜାନ୍‌ ପାଇଁ ନିର୍ବାଚନ ପ୍ରକ୍ରିୟାରୁ ପୂରା ଗୋଟିଏ ମାସକୁ ବାଦ୍‌ ଦିଆ ଯାଇପାରି ନଥାନ୍ତା: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ସମେତ ଚାରିଟି ରାଜ୍ୟର ବିଧାନସଭା ନିମନ୍ତେ ନିର୍ବାଚନ କମିଶନ ରବିବାର ଅପରାହ୍ଣରେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ୧୭ ତାରିଖରୁ ଆରମ୍ଭ ମେ’ ୨୩ରେ ଭୋଟ ଗଣତି ସହ ଶେଷ ହେବ।

ତେବେ, ଏହି ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ମୁସଲମାନମାନଙ୍କର ମାସାଧିକ କାଳବ୍ୟାପି ପବିତ୍ର ରମ୍‌ଜାନ୍‌ ଓ ‘ରୋଜା’ ପଡ଼ୁଥିବାରୁ ଏ ନେଇ ନିର୍ବାଚନ କମିଶନଙ୍କ ନିକଟରେ ନିଜର ଅସନ୍ତୋଷ ଜାହିର କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀ। ଏହା ମତଦାନକୁ ପ୍ରଭାବିତ କରିବା ସହ ମତଦାନ ହାରକୁ କମାଇବ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ସେ।

ତେବେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀଙ୍କ ଏ ଅଭିଯୋଗକୁ ଆଜି ଖଣ୍ଡନ କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ କମିଶନଙ୍କ ପକ୍ଷରୁ କୁହଯାଇଛି ଯେ କେବଳ ମୁସଲମାନମାନଙ୍କର ରମଜାନ ନୁହେଁ ଦେଶରେ ବସବାସ କରୁଥିବା ଆହୁରି ବହୁ ଅନ୍ୟ ସଂପ୍ରଦାୟମାନଙ୍କର ବହୁ ପର୍ବ ପର୍ବାଣୀ ଏହି ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏହି ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ପଡ଼ୁଥିବା ସମସ୍ତ ପର୍ବପର୍ବାଣୀ ଦିନଗୁଡ଼ିକ ସମେତ ସବୁ ଶୁକ୍ରବାରକୁ ନିର୍ବାଚନରୁ ଦୂରେଇ ରଖିଛନ୍ତି। କାରଣ, ରମଜାନ୍‌ ମାସରେ ମୁସଲମାନମାନେ ଶୁକ୍ରବାର ଦିନ ସ୍ୱତନ୍ତ୍ର ନମାଜ ପଢ଼ିଥାନ୍ତି। ତେଣୁ, ଏହା ନିର୍ବାଚନକୁ ପ୍ରଭାବିତ କରିବ ନାହିଁ। ତେବେ, ରମ୍‌ଜାନ୍‌ ପାଇଁ ନିର୍ବାଚନ ପ୍ରକ୍ରିୟାରୁ ପୂରା ଗୋଟିଏ ମାସକୁ ବାଦ୍‌ ଦିଆ ଯାଇପାରିବା ସମ୍ଭବ ନଥିଲା ବୋଲି ସ୍ପଷ୍ଟ କରି ଦେଇଛନ୍ତି ନିର୍ବାଚନ କମିଶନ।

ସମ୍ବନ୍ଧିତ ଖବର