ତାଲିମ ଇଭିଏମ୍ ପରିବହନ : ବାରାଣାସୀ ଏଡିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭୋଟ ଗଣତି କେନ୍ଦ୍ରକୁ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ପରିବହନ କରାଯାଉଛି ବୋଲି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଅଭିଯୋଗ କରିବାର ଦିନକ ପରେ ବାରାଣାସୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ । ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ନିୟମ ଉଲ୍ଲଙ୍ଘନ କରି ଇଭିଏମ ପରିବହନ କରୁଥିବାରୁ ବାରାଣାସୀ ଏଡିଏମ ଏନକେ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିସନ ଉତ୍ତରପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି (ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀ କରି ଅଖିଳେଶ ଇଭିଏମଗୁଡ଼ିକର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ । ସ୍ଥାନୀୟ ପ୍ରାର୍ଥୀମାନଙ୍କୁ ସୂଚୀନ ନ କରି ବାରାଣାସୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଭିଏମଗୁଡ଼ିକୁ ସ୍ଥାନାନ୍ତର କରାଯାଉଥିବା ସେ ଏକ ଭିଡିଓ ଜାରି କରିଥିଲେ । ଏହା ଭୋଟ ଚୋରି ବୋଲି ସେ ସିଧାସଳଖ ଅଭିଯୋଗ କରିଥିଲେ ।

ତେବେ ଏହାର ଜବାବ ଦେଇ ନିର୍ବାଚନ କମିସନ କହିଥିଲେ ଯେ ପରିବହନ ହେଉଥିବା ଇଭିଏମଗୁଡ଼ିକ ଭୋଟ ପାଇଁ ବ୍ୟବହାର କରାଯାଇନଥିଲା । ଭୋଟ ଗଣତି ସଂପର୍କରେ ଅଧିକାରୀମାନଙ୍କୁ ତାଲିମ ଦେବାକୁ ସେଗୁଡ଼ିକ ବ୍ୟବହାର କରାଯାଇଥିଲା । ଏହା ସହିତ କେତେକ ରାଜନୈତିକ ଦଳ ଅଯଥାରେ ଗୁଜବ ସୃଷ୍ଟି କରୁଥିବା ଉତ୍ତରପ୍ରଦେଶ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ ।

ସମ୍ବନ୍ଧିତ ଖବର