ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶର ନିର୍ବାଚନ କମିସନ (ଇସି)ଙ୍କ ବିରୋଧରେ ବଡ଼ଧରଣର ଭୋଟ ଜାଲିଆତି ଅଭିଯୋଗ ଆଣିବା ପ‌ରେ ଆଜି ନିର୍ବାଚନ କମିସନ ରାହୁଲ ଗାନ୍ଧୀଙ୍କୁ କଡ଼ା ଜବାବ ଦେଇଛନ୍ତି। ୩ଟି ରାଜ୍ୟରେ ଭୋଟ ଚୋରି ହୋଇଥିବା ନେଇ ରାହୁଲ ଯେଉଁ ଅଭିଯୋଗ ଆଣିଛନ୍ତି ସେ ସଂକ୍ରାନ୍ତରେ ନିର୍ବାଚନ କମିସନ ରାହୁଲଙ୍କଠାରୁ ପ୍ରମାଣ ମାଗିଛନ୍ତି। ନିର୍ବାଚନ କମିସନଙ୍କ ସୂତ୍ରରୁ ଶୁକ୍ରବାର କୁହାଯ‌ାଇଛି ଯେ ଯଦି କଂଗ୍ରେସ ନେତା ତାଙ୍କ ଆକଳନରେ ବିଶ୍ବାସ କରୁଛନ୍ତି ଏବଂ ଇସି ବିରୋଧରେ ତାଙ୍କ ଅଭିଯୋଗକୁ ସତ ଭାବୁଛନ୍ତି ତେବେ ନିର୍ବାଚନ ନିୟମ ଅନୁଯାୟୀ ଏକ ଘୋଷଣାପତ୍ରରେ ସ୍ବାକ୍ଷର କରିବାକୁ ହେବ। ରାହୁଲ ସତ କହୁଛନ୍ତି ବୋଲି ନିଜେ ସ୍ବୀକାର କରିବାରେ ସମସ୍ୟା କ’ଣ ବୋଲି ଇସି ପ୍ରଶ୍ନ କରିଛନ୍ତି। ଯଦି ରାହୁଲ ଗାନ୍ଧୀ ଏ ବାବଦ ଘୋଷଣାନାମାରେ ସ୍ବାକ୍ଷର କରିବାକୁ ପ୍ରସ୍ତୁତ ନାହାନ୍ତି, ତା’ହେଲେ ଧରି ନିଆଯିବ ଯେ ସେ ତାଙ୍କ ନିଜ ଅନୁଶୀଳନରେ ବିଶ୍ବାସ କରୁନାହାନ୍ତି ଏବଂ କମିସନଙ୍କ ବିରୋଧରେ ଅଯୌକ୍ତିକ ଓ ଅବାନ୍ତର ଅଭିଯୋଗ କରୁଛନ୍ତି। ତେଣୁ ତାଙ୍କ ପାଖରେ ୨ଟି ବାଟ ଅଛି ଏବଂ ତାହା ହେଉଛି, ନିଜ ଦାବିକୁ ସତ୍ୟ ବୋଲି ସ୍ବୀକାର କରି ଘୋଷଣାପତ୍ରରେ ସ୍ବାକ୍ଷର କରିବେ ଏବଂ ଦ୍ବିତୀୟଟି ହେଉଛି ଏହି ପ୍ରସ୍ତାବ ଗ୍ରହଣ ନ କଲେ ସେ ନିର୍ବାଚନ କମିସନଙ୍କ ବିରୋଧରେ ଭିତ୍ତିହୀନ ଓ ଷଡ୍‌ଯନ୍ତ୍ରପୂର୍ଣ୍ଣ ଅଭିଯୋଗ କରିଥିବାରୁ ଦେଶବାସୀଙ୍କୁ କ୍ଷମା ମାଗିବେ।

Advertisment

ଘୋଷଣାପତ୍ର‌ରେ ଦସ୍ତଖତ କର, ନହେଲେ କ୍ଷମା ମାଗ: ଇସି
ଅବାନ୍ତର ଅଭିଯୋଗର ପୁନରାବୃତ୍ତି

ଭୋଟର ତାଲିକାରେ ଯେଉଁ ଭୋଟରମାନଙ୍କୁ ଭୁଲ୍‌ ଭାବେ ଯୋଡ଼ାଯାଇଛି ବା ହଟାଇ ଦିଆଯାଇଛି ସେମାନଙ୍କର ନାମ ଓ ଠିକଣା ଦେବା ସହ ଏକ ଘୋଷଣାପତ୍ରରେ ସ୍ବାକ୍ଷର କରିବା ପାଇଁ ୩ ରାଜ୍ୟର ମୁଖ୍ୟ ନିର୍ବାଚନ ଅଫିସର ରାହୁଲ ଗାନ୍ଧୀଙ୍କୁ କହିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ଉଲ୍ଲେଖଯୋଗ୍ୟ, ଗୁରୁବାର ରାହୁଲ ଗାନ୍ଧୀ ନିର୍ବାଚନ କମିସନଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ଆଣି କହିଥିଲେ ଯେ କଂଗ୍ରେସର ୪୦ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମ୍‌ ଗଭୀର ବିଶ୍ଲେଷଣ କରିବା ପରେ ନକଲି ଭୋଟର, ନକଲି ଠିକଣା, ନକଲି ଫଟୋ ଏବଂ ସନ୍ଦେହଜନକ ଫର୍ମ-୬ ଆପ୍ଲିକେସନ୍‌ ପାଇଛନ୍ତି। ନିର୍ବାଚନ ଚୋରି ପାଇଁ ଇସି ବିଜେପି ସହ ମିଶି କାମ କରୁଛି ବୋଲି ରାହୁଲ ଅଭିଯୋଗ କରିଥିଲେ। କର୍ଣ୍ଣାଟକର ଏକ ନିର୍ବାଚନ ମଣ୍ଡଳୀରେ ଭୋଟ ଚୋରି ହୋଇଥିବା ସେ ଅଭିଯୋଗ କରିଥିଲେ ଏବଂ ଆଜି ମଧ୍ୟ ଏକ ରୢାଲିରେ ରାହୁଲ ତାଙ୍କ ଅଭିଯୋଗ ଦୋହରାଇଥିବାରୁ ନିର୍ବାଚନ କମିସନ ଏହାର କଡ଼ା ସମାଲୋଚନା କରିଛନ୍ତି। କେବଳ ରାଜନୈତିକ କାରଣରୁ ମିଥ୍ୟା ଅଭିଯୋଗର ସେ  ପୁନରାବୃତ୍ତି କରୁଛନ୍ତି‌ ବୋଲି ଇସି  କହିଛନ୍ତି ଏବଂ ଏ ବାବଦରେ ୨୦୧୮ ମସିହାର ଏକ ମାମଲାକୁ ଉଦାହରଣ ଭାବେ ଦର୍ଶାଇଛନ୍ତି। ୨୦୧୮ରେ ତତ୍କାଳୀନ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଳନାଥ ମଧ୍ୟ ଏଭଳି ଭିତ୍ତିହୀନ ଅଭିଯୋଗ କରିଥିଲେ, ଯାହାକୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ।