ବିଧାନସଭା ନିର୍ବାଚନ : ପଦଯାତ୍ରାକୁ ଅନୁମତି, ବଢିଲା ପ୍ରଚାର ସମୟ

ନୂଆଦିଲ୍ଲୀ :  ୫ଟି ରାଜ୍ୟରେ ଚାଲିଥିବା ନିର୍ବାଚନ ପାଇଁ ପ୍ରଚାର କଟକଣାକୁ କିଛିଟା କୋହଳ କରିଛନ୍ତି ନିର୍ବାଚନ ଆୟୋଗ । ପୂର୍ବରୁ ପଦଯାତ୍ରାକୁ ଅନୁମତି ନଥିବାବେଳେ ଆଜି ସେଥିପାଇଁ ଅନୁମତି ଦିଆଯାଇଛି । ତେବେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ବାରା ଧାର୍ଯ୍ୟ ସର୍ତ୍ତାବଳୀ ପାଳନ କରି ଏହା କରାଯାଇପାରିବ । ଜିଲ୍ଲା ପ୍ରଶାସନର ଅନୁମତି ନେଇ ପଦଯାତ୍ରା କରିହେବ । ସେହିପରି ପୂର୍ବରୁ ପ୍ରଚାର ସମୟ ସକାଳ ୮ଟାରୁ  ସଂଧ୍ୟା ୮ଟା ଥିବାବେଳେ ଏବେ ତାହାକୁ ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି । ଗୋଟିଏ ସ୍ଥାନର କ୍ଷମତାର ଅଧା ଲୋକଙ୍କୁ ନେଇ ଜନସଭା, ରାଲି କରିହେବ ।

ଗତ ଜାନୁଆରି ୩୧ରେ, ଖୋଲା ସ୍ଥାନରେ ୧୦୦୦ ଜଣ ଲୋକଙ୍କୁ ନେଇ ନିର୍ବାଚନୀ ସଭା କରିବାକୁ ଆୟୋଗ ଅନୁମତି ଦେଇଥିଲେ । ତା ପୂର୍ବରୁ ସର୍ବାଧିକ ୫୦୦ ଲୋକଙ୍କୁ ନେଇ ସଭା କରିବାକୁ ଅନୁମତି ଦିଆଯାଇଥିଲା । ସେହିପରି ଆବଦ୍ଧସ୍ଥାନରେ ସର୍ବାଧିକ ୫୦୦ ଲୋକଙ୍କୁ ନେଇ ନିର୍ବାଚନ ପ୍ରଚାର ସଭା ପାଇଁ ଅନୁମତି ଦିଆଯାଇଥିଲା । ତା ପୂର୍ବରୁ ଏହି ସୀମା ୩୦୦ ଥିଲା । ତେବେ ଏସବୁ କରିବାବେଳେ କୋଭିଡ ନିୟମ ପାଳନ କରାଯିବ ବୋଲି ଆୟୋଗ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଆସନ୍ତା ଫେବ୍ରୁଆରି ୧୦ରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଯାଇଛି । ଏହି ୫ଟି ରାଜ୍ୟ ହେଲା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ।

ସମ୍ବନ୍ଧିତ ଖବର