ନୂଆଦିଲ୍ଲୀ: ଚଳିତ ଲୋକସଭା ଏବଂ ଓଡ଼ିଶା ସମେତ ୪ ରାଜ୍ୟର ବିଧାନସଭା ନିର୍ବାଚନରେ ମତଦାନ ହାର ବୃଦ୍ଧି ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ସବୁ ପ୍ରକାର ପ୍ରୟାସ କରାଯାଉଛି। ଏଥି ପାଇଁ ଆଜି ପ୍ରଥମ ଥର ପାଇଁ ସ୍ଥାନୀୟ ନିର୍ବାଚନ ସଦନରେ ଇସିଆଇଙ୍କ ପକ୍ଷରୁ କମ ମତଦାନ ହାର ଥିବା ଉତ୍ତର ପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ତେଲେଙ୍ଗାନା, ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଜମ୍ମୁ-କାଶ୍ମୀର ଓ ଝାଡ଼ଖଣ୍ଡ ରାଜ୍ୟର ପ୍ରତିନିଧି, ସହରାଞ୍ଚଳ ମହାନଗର ନିଗମ ଆୟୁକ୍ତ ଓ ଜିଲ୍ଲା ଅଧିକାରୀଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା। ଉପରୋକ୍ତ ରାଜ୍ୟମାନଙ୍କରେ ୨୦୧୯ ଲୋକସଭା ନିର୍ବାଚନରେ ମତଦାନ ହାର ଜାତୀୟ ହାର ୬୭.୪୦ ପ୍ରତିଶତରୁ କମ ଥିଲା। ବୈଠକରେ ଭୋଟଦାନ ହାର ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମ ସହିତ ବୁଥ୍ୱାରି ଯୋଜନା ପ୍ରସ୍ତୁତ ସହ ଏକାଧିକ ପଦକ୍ଷେପ ନେବା ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଓଡ଼ିଶାରେ ମତଦାନ ହାର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଭଲ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ଓଡ଼ିଶାରେ ୭୩.୨୯ ପ୍ରତିଶତ ଭୋଟଦାନ ହୋଇଥିଲା।
ଚଳିତ ନିର୍ବାଚନରେ ଅଧିକ ଭୋଟଦାନ ପାଇଁ ପଦକ୍ଷେପ ସ୍ବରୂପ ଓଡ଼ିଆରେ ଅନୁବାଦ କରାଯାଇଥିବା ଭାରତୀୟ ନିର୍ବାଚନ ଆୟୋଗଙ୍କ ଭିଡିଓରେ ‘ମତଦାନ ଆମେ କରିବା ଯାଇ, ଆମ ଭାରତ ପାଇଁ’ ତାମିଲନାଡ଼ୁର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ତଥା ଓଡ଼ିଆ ପୁଅ ସତ୍ୟବ୍ରତ ସାହୁ କଣ୍ଠଦାନ କରିଛନ୍ତି। ୩ ମିନିଟ୍ର ଏହି ଭିଡିଓ ଜାତୀୟ ସ୍ତରରେ ବେଶ ଚର୍ଚ୍ଚାରେ ରହିଛି। ଭିଡିଓରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରାଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଭୋଟ୍ ଦାନ ପାଇଁ ଭୋଟରଙ୍କୁ ଆହ୍ବାନ ଦେଇଛନ୍ତି। ୧୯୯୭ ବ୍ୟାଚ୍ ତାମିଲନାଡ଼ୁ କ୍ୟାଡର ଆଇଏଏସ୍ ଶ୍ରୀ ସାହୁ ଫେବ୍ରୁଆରି ୨୦୧୮ରୁ ତାମିଲନାଡ଼ୁରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ସାହୁ ଜଣେ ସୌଖୀନ ଗାୟକ ଭାବେ ଓଡ଼ିଆ ଓ ହିନ୍ଦୀରେ ଗୀତ ଗାଇଛନ୍ତି ତଥା ୟୁଟୁବ୍ରେ ମଧ୍ୟ ଗୀତଗୁଡ଼ିକୁ ଅପଲୋଡ୍ କରିଛନ୍ତି। ହେଲେ ପ୍ରଥମଥର ପାଇଁ ସେ ଷ୍ଟୁଡିଓରେ ଗୀତର ରେକଡିଂ କରିଛନ୍ତି।