ନୂଆଦିଲ୍ଲୀ: ମଣିଷ ନିଜର ବୁଦ୍ଧି ଏବଂ ପରିଶ୍ରମ ଦ୍ୱାରା ସବୁକିଛି ସମ୍ଭବ କରିପାରିବ। ଏହାକୁ ପ୍ରମାଣ କରିଦେଖାଇଛନ୍ତି କୋଏମ୍ବାଟୁରର କଲ୍ୟାଣ କୁମାର। କଲେଜ ପଢ଼ା ଛାଡ଼ି ଏବେ ବର୍ଜ୍ୟବସ୍ତୁରୁ ତିଆରି କରୁଛନ୍ତି ବିଭିନ୍ନ ଉପକରଣ । ତା' ସହିତ ପରିବେଶକୁ ସ୍ୱଚ୍ଛ ରଖିବା ସହ ଲକ୍ଷାଧିକ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି।

Advertisment

ତାମିଲନାଡୁ ସରକାର ଯେତେବେଳେ ପ୍ଲାଷ୍ଟିକ ପରିବର୍ତ୍ତେ କପଡ଼ା ବ୍ୟାଗକୁ ବ୍ୟବହାର କରିବା ପାଇଁ 'ମେନ୍ଦୁମ ମଞ୍ଜପାଇ' ଯୋଜନା ଆରମ୍ଭ କରିଥିଲେ, ସେତିକି ବେଳେ କୋଏମ୍ବାଟୁରର କଲ୍ୟାଣ କୁମାର ଏହି ସୁଯୋଗକୁ ହାତ ଛଡ଼ା ନ କରି ଏହାକୁ ରୋଜଗାରରେ ପରିଣତ କରିବା ପାଇଁ ଏକ ନିଆରା ପଦକ୍ଷେପ ନେଇଥିଲେ। ସେ ନିଜ କାରଖାନାରେ ଏଭଳି ଏକ ମେସିନ୍ ବାହାର କଲେ ଯାହା ସାହାଯ୍ୟରେ ବିଭିନ୍ନ ପରିବେଶ ଅନୁକୂଳ ଉପକରଣ ତିଆରି କରି ହେଉଥିଲା। ସେହି ଉପକରଣକୁ ତିଆରି କରିବା ପାଇଁ କଲ୍ୟାଣ କେବଳ ବାୟୋ ବର୍ଜ୍ୟବସ୍ତୁ ବ୍ୟବହାର କରୁଛନ୍ତି। ଯେପରିକି ଶୁଖିଲା ପତ୍ର, ଚାଉଳ ଆଉ ଗହମର ଭୁସି, ତେନ୍ତୁଳି ମଞ୍ଜି, କଦଳୀ ପତ୍ର, ବାଦାମ ଚୋପା ଇତ୍ୟାଦିକୁ ବ୍ୟବହାର କରି ବିଭିନ୍ନ ଉପକରଣ ତିଆରି କରନ୍ତି।

ବାସ୍ତବରେ, କିଛି ପାରିବାରିକ ସମସ୍ୟା ହେତୁ କଲ୍ୟାଣ ତାଙ୍କର ବିବିଏ ପାଠପଢ଼ା ଶେଷ କରିପାରିନଥିଲେ। ପରେ, ସେ ତାଙ୍କ ପିତାଙ୍କ ଏକ ମେସିନ୍ ତିଆରି କରିବା କାରଖାନାରେ କାମ କରିବା ଆରମ୍ଭ କରିଥିଲେ । ପରେ କଲ୍ୟାଣ ଯେଉଁ ମେସିନଗୁଡ଼ିକ ବାହାର କରୁଛନ୍ତି ତାହାର ମୂଲ୍ୟ ୩ ଲକ୍ଷରୁ ୩୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ସେ କହିଛନ୍ତି ଯେ, ଛୋଟ ଯନ୍ତ୍ରଗୁଡ଼ିକ ଲିଭର ନିୟନ୍ତ୍ରଣ ସହିତ ମାନୁଆଲ ଅଟେ, ଯାହାଦ୍ୱାରା ପ୍ରତିଦିନ ୧୦୦୦ରୁ ଅଧିକ ଚା କପ୍ ତିଆରି କରିହେବ । ଯେଉଁଠାରେ ମହଙ୍ଗା ମେସିନ୍ ପ୍ରତିଦିନ ୧୦୦୦୦ ଚା କପ୍ ତିଆରି କରିପାରିବ। କଲ୍ୟାଣ ଏବେ ପ୍ରତି ମାସରେ ୧୦ ଲକ୍ଷ ଚା କପ୍ ବିକ୍ରି କରୁଛନ୍ତି। ଆଗାମୀ ଦିନରେ ସେ ଅନ୍ୟମାନଙ୍କୁ ମଧ୍ୟ ତାଲିମ ଦେବାକୁ ଚାହାଁନ୍ତି, ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ଏହାକୁ ବ୍ୟବହାର କରିପାରିବେ।