ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ବେଶ୍‌ ଦୃଢ଼ ରହିଛି। ଏହା ବିଶ୍ବ ଲାଗି ଭାରତ ଗୁରୁତ୍ବପୂର୍ଣ୍ଣ। ଏହା ବିଶ୍ବ ଅର୍ଥନୀତିକୁ ଆଗକୁ ବଢ଼ିବାର ବାଟ ଦେଖାଉଛି। ଭାରତ ବିଶ୍ବ ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ ପାଲଟିଛି ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ପ୍ରବକ୍ତା ଜୁଲି କୋଜାକ୍‌ କହିଛନ୍ତି। ଚଳିତ ମାସରେ ପ୍ରକାଶ ପାଇବାକୁ ଥିବା ବିଶ୍ବ ଅର୍ଥନୈତିକ ପୂର୍ବାନୁମାନ ରିପୋର୍ଟରେ ଭାରତର ଅଭିବୃଦ୍ଧି ଆକଳନକୁ ବଢ଼ାଇବା ବିଷୟରେ ଆଇଏମ୍‌ଏଫ୍‌ ଚିନ୍ତା କରୁଥିବା ସେ କହିଛନ୍ତି। ଭାରତରେ ଉପଯୋଗିତା ଉନ୍ନତ ସ୍ତରରେ ଥିବାରୁ ୨୦୨୫-୨୬ରେ ଏହାର ଅଭିବୃଦ୍ଧି ୬.୬ ପ୍ରତିଶତ ରହିବ ବୋଲି ଆଇଏମ୍‌ଏଫ୍‌ ଆକଳନ କରିଥିଲା। ଏହାପରେ ତୃତୀୟ ‌ତ୍ରୈମାସିକରେ ଭାରତର ଅଭିବୃଦ୍ଧି ବେଶ ଉତ୍ସାହଜନକ ରହିଥିଲା ଯାହା ଆଶାଠାରୁ ଢେର ଉନ୍ନତ। ତାହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଅଭିବୃଦ୍ଧି ପୂର୍ବାନୁମାନକୁ ବୃଦ୍ଧି କରାଯିବ। ଆଇଏମ୍ଏଫ୍‌ର ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜୋର୍ଜିଭା କହିଛନ୍ତି ଯେ ବାଣିଜ୍ୟ କଟକଣାର ଚାପକୁ ବିଶ୍ବ ଅର୍ଥନୀତି ବେଶ ଦୃଢ଼ତାର ସହ ସାମ୍ନା କରୁଛି ଏବଂ ଅଭିବୃଦ୍ଧି ଭଲ ରହିଛି। ଗତ ଅକ୍ଟୋବରରେ ଯେଉଁ ଆକଳନ କରାଯାଇଥିଲା ତାହା ଜାନୁଆରିରେ ଆହୁରି ଉନ୍ନତ ହେବ ବୋଲି ଆଶା କରାଯାଉଛି। 

Advertisment

ବାଣିଜ୍ୟ କଟକଣା ବିଶ୍ବ ଅର୍ଥନୀତିର ଗତିକୁ ପଥଚ୍ୟୁତ କରିପାରିନାହିଁ। ପ୍ରଦର୍ଶନ ଭଲ ଥିଲେ ମଧ୍ୟ ଅଭିବୃଦ୍ଧି ତଳକୁ ଖସିବାର କିନ୍ତୁ ଆଶଙ୍କା ରହିଛି। ପ୍ରଯୁକ୍ତିରେ ଦ୍ରୁତ ପରିବର୍ତ୍ତନ ଓ ଭୂରାଜନୈତିକ ସଙ୍କଟ ପାଇଁ ବିଶ୍ବ ପ୍ରତି ବିପଦ ରହିଥିବା ଜୋର୍ଜିଭା କହିଛନ୍ତି। ଆଇଏମ୍‌ଏଫ୍‌ ପକ୍ଷରୁ ଚଳିତ ମାସ ୧୯ରେ ବିଶ୍ବ ଅର୍ଥନୈତିକ ଆଉଟ୍‌ଲୁକ୍‌ ରିପୋର୍ଟ ଜାରି କରାଯିବ। ନିକଟରେ ଜାତିସଂଘ ପକ୍ଷରୁ ଭାରତର ଅଭିବୃଦ୍ଧି ଆକଳନକୁ ୬.୪ ପ୍ରତିଶତରୁ ବୃଦ୍ଧି କରି ୬.୬ ପ୍ରତିଶତ କରାଯାଇଥିଲା। ୨୦୨୭ ପାଇଁ ଏହା ଅଭିବୃଦ୍ଧି ୬.୭ ପ୍ରତିଶତ ରହିବ ବୋଲି ଆକଳନ କରିଛି। ଦେଶରେ ଘରୋଇ ଉପଯୋଗିତା ଓ ସରକାରୀ ନିବେଶ ଦୃଢ଼ ରହିଥିବାରୁ ଜାତିସଂଘ ଏହାର ଆକଳନ ବଢ଼ାଇଛି। ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ଦୁଇ କାରଣ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ବର୍ତ୍ତମାନ ସୁଦ୍ଧା ଏତେଟା ପ୍ରଭାବଶାଳୀ ହୋଇପାରିନାହିଁ। ଗତବର୍ଷ ଆୟକର ନିୟମ ଓ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ସଂସ୍କାର ଓ ସୁଧ ହାର କମ୍‌ ରହିଥିବାରୁ ଭାରତର ଅଭିବୃଦ୍ଧି ଧାରା ଆଗାମୀ ଦିନରେ ମଧ୍ୟ ବଜାୟ ରହିବ ବୋଲି ଜାତିସଂଘ କହିଥିଲା।

କିଛି ଦିନ ପୂର୍ବେ କେନ୍ଦ୍ର ସରକାର ଅର୍ଥନୀତିର ପ୍ରଥମ ଅଗ୍ରିମ ଆକଳନ ଜାରି କରିଥିଲେ। ସେଥିରେ ଆକଳନ କରାଯାଇଛି ଯେ ୨୦୨୫-୨୬ରେ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ରହିବ। ଏହା ପୂର୍ବରୁ କରାଯାଇଥିବା ଆକଳନ ୬.୫ ପ୍ରତିଶତ ତୁଳନାରେ ଅଧିକ। ନୋମିନାଲ ଜିଡିପି ଅଭିବୃଦ୍ଧି ୮ ପ୍ରତିଶତ ଏବଂ ବାସ୍ତବ ଜିଭିଏ ଅଭିବୃଦ୍ଧି ୭.୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ସେବା, ମାନୁଫାକ୍‌ଚରିଂ ଓ ନିର୍ମାଣ କ୍ଷେତ୍ର ଆଗକୁ ବଢ଼ିବ ବୋଲି ଆକଳନ କରାଯାଇଥିବା ବେଳେ କୃଷି କ୍ଷେତ୍ରର ଅଭିବୃଦ୍ଧି ୩.୧ ପ୍ରତିଶତକୁ ଖସିଯିବା ନେଇ ଆଶଙ୍କା କରାଯାଇଛି।