ବର୍ନଷ୍ଟିନ୍ ରିପୋର୍ଟ : ପ୍ୟାକେଜ୍‌ରେ ଚମକ ନାହିଁ, ସୁଯୋଗ ହାତଛଡ଼ା କଲେ ସରକାର

ନୂଆଦିଲ୍ଲୀ : କୋଭିଡ୍‌-୧୯ ମହାମାରୀକୁ ରୋକିବା ପାଇଁ ଘୋଷଣା ହୋଇଥିବା ଲକ୍‌ଡାଉନ୍ ଯୋଗୁଁ ଦେଶର ଅର୍ଥନୀତି ଏବେ ଧରାଶାୟୀ ହୋଇଛି। ଅର୍ଥନୀତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୨ ତାରିଖରେ ୨୦ ଲକ୍ଷ କୋଟି ଟଙ୍କାର ଏକ ବୃହତ୍ ପ୍ୟାକେଜ୍ ଘୋଷଣା କରିଥିଲେ। ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଲଗାତାର ୫ ଦିନ ଧରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ୍‌ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଅର୍ଥମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ବିସ୍ତୃତ ସୂଚନା କିନ୍ତୁ ଅନ୍ତର୍ଜାତୀୟ ସ୍ତରର ଗବେଷଣା ସଂସ୍ଥାଗୁଡ଼ିକୁ ସେତେଟା ଆକର୍ଷିତ କରିପାରି ନାହିଁ। ବିଶେଷକରି ଏ ବି ବର୍ନଷ୍ଟିନ୍ ନାମକ ଏକ ଗବେଷଣା ସଂସ୍ଥା ପକ୍ଷରୁ ଏହି ପ୍ୟାକେଜ୍‌କୁ ଲକ୍ଷ୍ୟହୀନ ବୋଲି କୁହାଯାଇଛି। ଏଥିସହିତ ଏହି ପ୍ୟାକେଜ୍ ମାଧ୍ୟମରେ ଅର୍ଥନୀତିକୁ ଆଗକୁ ନେବା ପାଇଁ ଯେଉଁ ସୁଯୋଗ ଥିଲା ତାହାକୁ ସରକାର ହାତଛଡ଼ା କରିଦେଇଛନ୍ତି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ଗୁରୁତ୍ବପୂର୍ଣ୍ଣ ଦିଗକୁ ନେଇ ବୃହତ୍ ପ୍ୟାକେଜ୍ ଘୋଷଣା କରାଯାଇଥିଲା। କିନ୍ତୁ ପରେ ଏହି ବୃହତ୍ ପ୍ୟାକେଜ୍ ସମ୍ପର୍କରେ ଉପରୁ ତଳ ପର୍ଯ୍ୟନ୍ତ ଯେଉଁ ଛୋଟ ଛୋଟ ବର୍ଣ୍ଣନା ଦିଆଗଲା ତାହା ଏହାକୁ ଲକ୍ଷ୍ୟହୀନ କରି‌ଦେଲା ବୋଲି ଉକ୍ତ ସଂସ୍ଥା କହିଛି। ଖର୍ଚ୍ଚକୁ ବଢ଼ାଇବା ଏବଂ ମ୍ୟାନୁଫାକ୍‌ଚରିଂ(ଉତ୍ପାଦନ)କୁ ବଢ଼ାଇବା ଲାଗି ‌ପ୍ୟାକେଜରେ ସେମିତି ‌କିଛି ବଡ଼ ଧରଣର ନିଆଯାଇନାହିଁ। ସେହିଭଳି ଅର୍ଥନୀତିରେ ତୁରନ୍ତ ସୁଧାର ଆଣିବା ଲାଗି ଆବଶ୍ୟକ ହେଉଥିବା ପଦକ୍ଷେପ ମଧ୍ୟ ଏଥିରେ ନାହିଁ। ଏପରିକି ଯେଉଁ ସଂସ୍କାର ବିଷୟ ଘୋଷଣା କରାଯାଇଛି ସେଥିରେ ସେମିତି କିଛି ଚମକ ନାହିଁ ବୋଲି ଉକ୍ତ ସଂସ୍ଥା କହିଛି।

ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ମୋଟ ପ୍ୟାକେଜର ଆକାର ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୧୦ ପ୍ରତିଶତ। ପ୍ୟାକେଜ୍‌ରେ ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ନଗଦ ଅର୍ଥ ପ୍ରବାହ, ଋଣ ଗ୍ୟାରେଣ୍ଟି ସମେତ ଗ୍ରାମାଞ୍ଚଳ ଲୋକଙ୍କୁ ଅଧିକ କାମ୍ ଯୋଗାଇବା ପାଇଁ ଅଧିକ ଅର୍ଥବରାଦ ଆଦି କରାଯାଇଛି। ଘୋଷଣା କରାଯାଇଥିବା ମୋଟ ପ୍ୟାକେଜର ଆକାର ବହୁତ ବଡ଼ ହୋଇଥିଲେ ମଧ୍ୟ ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅନେକ ପଦକ୍ଷେପକୁ ଏଥିରେ ସାମିଲ କରାଯାଇଛି। ଫଳରେ ମୋଟ ପ୍ୟାକେଜରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଅଂଶ ସବୂଠୁ ଅଧିକ।

ପ୍ୟାକେଜ ଘୋଷଣା ବେଳେ ଯେଉଁସବୁ କେତେକ କ୍ଷେତ୍ରକୁ ଚୟନ କରାଯାଇଛି ସେଗୁଡ଼ିକ ମଧ୍ୟରୁ କେତେକ ବିଚଳିତ କରିବା ଭଳି ହୋଇଛି। ପ୍ୟାକେଜ୍‌ରେ ସହରାଞ୍ଚଳ, ଖର୍ଚ୍ଚ, ଭିତ୍ତିଭୂମି ଓ ପ୍ରଭାବିତ ଅନ୍ୟ କ୍ଷେତ୍ରକୁ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ଥିଲା। କିନ୍ତୁ ସରକାର ପ୍ୟାକେଜର ଗ୍ରାମାଞ୍ଚଳ ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ଗ୍ରାମାଞ୍ଚଳ ନିୟନ୍ତ୍ରଣରେ ରହିଛି। କୃଷକଙ୍କ ଆୟ ସୁରକ୍ଷିତ ଅଛି। ଏହାସ‌ତ୍ତ୍ବେ କୃଷି ଋଣ ଆକାରରେ ଅନେକ ପଦକ୍ଷେପ ପ୍ୟାକେଜରେ ଘୋଷଣା କରାଯାଇଛି, ଯାହାକି ଅଜବ ପରି ଲାଗୁଛି।

ସମ୍ବନ୍ଧିତ ଖବର