ଗୋଲାପି ଚିତ୍ର : ଅଭିବୃଦ୍ଧି ଲକ୍ଷ୍ୟ ୭.୫%

ଅର୍ଥନୈତିକ ସର୍ଭେ ୨୦୧୭-୧୮

ଟିକସଦାତାଙ୍କ ସଂଖ୍ୟା ୫୦% ଭାଗ ବୃଦ୍ଧି
ପ୍ରତିକୂଳ ପାଗ ଯୋଗୁଁ କୃଷି କ୍ଷତିଗ୍ରସ୍ତ
ତେଲ ଦର ବୃଦ୍ଧିକୁ ନେଇ ଉଦ୍‌ବେଗ

ନୂଆଦିଲ୍ଲୀ : ୨୦୧୭-୧୮ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଜି ସଂସଦରେ ଉପସ୍ଥାପିତ ହୋଇଛି। ଭାରତୀୟ ଅର୍ଥନୀତିର ରିପୋର୍ଟ କାର୍ଡ ବୋଲି କୁହାଯାଉଥିବା ଏହି ରିପୋର୍ଟରେ ୨୦୧୮-୧୯ ବର୍ଷ ଲାଗି ଅଭିବୃଦ୍ଧି ହାର ୭ରୁ ୭.୫ ଭାଗ ହେବ ବୋଲି ଆକଳନ କରାଯାଇଛି। ସର୍ଭେରେ କୁହାଯାଇଛି ଯେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ପରୋକ୍ଷ ଟିକସଦାତାଙ୍କ ସଂଖ୍ୟା ୫୦% ବଢ଼ିଛି। ପ୍ରଥମ ଥର ପାଇଁ ଗୋଲାପି ରଙ୍ଗରେ ପ୍ରକାଶ ପାଇଥିବା ସର୍ଭେରେ ଭାରତୀୟ ଅର୍ଥନୀତିର ଗୋଲାପି ଚିତ୍ର ଅଙ୍କାଯାଇଛି। ତେବେ ତେଲ ଦରରେ ନିୟମିତ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରାଯାଇଛି।

ସଂସଦର ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଅର୍ଥନୈତିକ ଏହି ରିପୋର୍ଟ ଉପସ୍ଥାପନ କରି କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ (୨୦୧୭-୧୮)ରେ ଦେଶର ଅଭିବୃଦ୍ଧି ହାର ୬.୭୫% ରହିବ। ଶିଳ୍ପ ଏବଂ କୃଷି ଅଭିବୃଦ୍ଧି ହାର ଯଥାକ୍ରମେ ୪.୪% ଏବଂ ୨.୧% ରହିବ। ସେବା କ୍ଷେତ୍ରର ଅଭିବୃଦ୍ଧି ୬.୧% ହେବ। ତେବେ ୨୦୧୮-୧୯ରେ ଅଭିବୃଦ୍ଧି ହାର ୭ରୁ ୭.୫% ସ୍ତରକୁ ବୃଦ୍ଧି ପାଇବ। ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ବଜାୟ ରଖିବ ବୋଲି ଏଥିରେ ଆକଳନ କରାଯାଇଛି।

ସର୍ଭେରେ ଅର୍ଥନୈତିକ ସ୍ଥିତି ବ୍ୟତୀତ ସାମାଜିକ ବିଷୟ ଉପରେ ମଧ୍ୟ ଆଲୋକପାତ କରାଯାଇଛି। ଲୋକମାନଙ୍କର ପୁଅଟିଏ ପାଇବା ପାଇଁ ରହିଥିବା ପ୍ରବଳ ଆଗ୍ରହକୁ ସର୍ଭେ ସାମ୍ନାକୁ ଆଣିଛି। ଏହି କାରଣରୁ ଲିଙ୍ଗଗତ ବୈଷମ୍ୟ ବଢ଼ୁଛି। ଲିଙ୍ଗଗତ ବିଭେଦକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଅର୍ଥନୈତିକ ସର୍ଭେ ପୁସ୍ତକଖକୁ ପ୍ରଥମ ଥର ପାଇଁ ଗୋଲାପି ରଙ୍ଗରେ ଛପାଯାଇଛି।

ସର୍ଭେରେ କୁହାଯାଇଛି, ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ପରୋକ୍ଷ ଟିକସଦାତାଙ୍କ ସଂଖ୍ୟା ୫୦% ବଢ଼ିଛି। କ୍ଷୁଦ୍ର ବ୍ୟବସାୟୀ ସ୍ୱେଚ୍ଛାକୃତ ଭାବେ ଜିଏସ୍‌ଟି ନେଟ୍‌ଓ୍ଵର୍କରେ ସାମିଲ ହେଉଛନ୍ତି। ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟଗୁଡ଼ିକର ଟିକସ ଆଦାୟ ପରିମାଣ କମ୍‌ ହେବ ବୋଲି ଯେଉଁ ଆକଳନ କରାଯାଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି। କିନ୍ତୁ ରାଜ୍ୟଗୁଡ଼ିକର ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ କମିଥିବା କୁହାଯାଇଛି। ସର୍ଭେରେ ଅନେକ ନୂତନ ତଥ୍ୟ ପ୍ରଦାନ କରାଯାଇଛି। ଯେଉଁ ରାଜ୍ୟଗୁଡ଼ିକର ରପ୍ତାନି ପରିମାଣ ଅଧିକ ସେହି ରାଜ୍ୟ ଅଧିକ ସମୃଦ୍ଧ।

ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରରେ ହେଉଥିବା ନିୟମିତ ବୃଦ୍ଧିକୁ ନେଇ ସର୍ଭେରେ ଚିନ୍ତା ପ୍ରକଟ କରାଯାଇଛି। ଅଶୋଧିତ ତୈଳ ଦରରେ ବୃଦ୍ଧି ଦେଶର ଅର୍ଥନୀତିକୁ ପ୍ରଭାବିତ କରିବ ବୋଲି କୁହାଯାଇଛି।

ଏଥିରେ ଆହୁରି କୁହାଯାଇଛି ଯେ, ବିଗତ କିଛି ବର୍ଷ ହେଲାଣି ଭାରତର ଅଭିବୃଦ୍ଧି ଉଚ୍ଚ ସ୍ତରରେ ରହିଛି। ୨୦୧୪-୧୫ରୁ ୨୦୧୭-୧୮ ମଧ୍ୟରେ ଦେଶର ଜିଡିପି ଅଭିବୃଦ୍ଧି ହାରାହାରି ୭.୩% ରହିଛି। ବିଶ୍ୱର ପ୍ରମୁଖ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତର ଅଭିବୃଦ୍ଧି ସବୁଠୁ ଅଧିକ। ବିଗତ ତିନି ବର୍ଷ ଭିତରେ ବିଶ୍ୱର ଅଭିବୃଧି ହାର ତୁଳନାରେ ଭାରତର ଅଭିବୃଦ୍ଧି ୪% ଅଧିକ। ଅନ୍ୟ ଉଦୀୟମାନ ଏବଂ ବିକାଶଶୀଳ ଦେଶଗୁଡ଼ିକର ଅଭିବୃଦ୍ଧିଠାରୁ ଭାରତର ଅଭିବୃଦ୍ଧି ୩% ଅଧିକ ରହିଛି ବୋଲି ସର୍ଭେରେ କୁହାଯାଇଛି। ତେବେ ଚଳିତ ଆର୍ଥିକ ବର୍ଷରେ ପ୍ରତିକୁଳ ପାଗ ଯୋଗୁଁ କୃଷି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଏଥିରେ କୁହାଯାଇଛି। ଅସ୍ଥିର ପାଣିପାଗ ଯୋଗୁଁ ଅଣଜଳସେଚିତ କ୍ଷେତ୍ର ଅଧିକ ପ୍ରଭାବିତ ହେଉଛି। ଫଳରେ କୃଷି ଅଭିବୃଦ୍ଧି ହାର ୨୫% କମିପାରେ
ବୋଲି ସର୍ଭେରେ ଆକଳନ କରାଯାଇଛି।

ସର୍ଭେରେ ଆହୁରି କୁହାଯାଇଛି ଯେ ଆଗାମୀ ଦିନରେ ଜିଏସ୍‌ଟିରେ ଅଧିକ ସ୍ଥିରତା ଆଣିବାକୁ ପଡ଼ିବ। ନିବେଶ ହାର ବଢ଼ାଇବାକୁ ହେବ। ଢ଼ାଞ୍ଚାଗତ ସଂସ୍କାର ପ୍ରକ୍ରିୟା ଜାରି ରଖିବାକୁ ପଡ଼ିବ। ଏସବୁ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଲେ ଦେଶର ଅଭିବୃଦ୍ଧି ଆହୁରି ତ୍ୱରାନ୍ଵିତ ହୋଇପାରିବ। ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସାମାଜିକ ସୁରକ୍ଷା ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରିବାକୁ ସର୍ଭେରେ ସରକାରଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର