ଲୋକଙ୍କ ଆୟର ଏକ ବଡ଼ ଭାଗ ଚିକିତ୍ସା ବାବଦରେ ଖର୍ଚ୍ଚ ହେଉଛି, ସରକାର ବ୍ୟୟବରାଦ ବଢାନ୍ତୁ : ଅର୍ଥନୈତିକ ସର୍ଭେ

ନୂଆଦିଲ୍ଲୀ : ଆଜି ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ପରିବାରଗୁଡ଼ିକ ନିଜ ଆୟର ୬୫ ପ୍ରତିଶତ ସ୍ବାସ୍ଥ୍ୟ ଓ ଚିକିତ୍ସା ବାବଦରେ ବ୍ୟୟ କରନ୍ତି । ଏହାକୁ ହ୍ରାସ କରିବାକୁ ହେଲେ ଆମକୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସରକାରୀ ବ୍ୟୟବରାଦ ବୃଦ୍ଧି କରିବାକୁ ହେବ ।

ଏ ସମ୍ପର୍କରେ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡ.କେ.ଭି.ସୁବ୍ରମଣ୍ୟମ କହିଛନ୍ତି ଯେ ଭାରତର ହାରାହାରି ପରିବାର ନିଜ ଆୟର ଏକ ବଡ଼ ଭାଗ ଚିକିତ୍ସା ବାବଦରେ ଖର୍ଚ୍ଚ କରିଥାଏ । ଏକ ଅଟକଳ ଅନୁସାରେ ଏବେ ତାହା ୬୫ ପ୍ରତିଶତ ଅଛି । ଯଦି ଚିକିତ୍ସା ବାବଦ ବ୍ୟୟ ହଠାତ ଅତ୍ୟଧିକ ହୋଇଯାଏ, ତେବେ ଗୋଟିଏ ପରିବାର ଦାରିଦ୍ର୍ୟତା ମଧ୍ୟକୁ ମଧ୍ୟ ଠେଲିହୋଇଯାଇପାରେ ।

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏବେ ସରକାରଙ୍କ ବ୍ୟୟ ଜିଡିପିର ୧ ପ୍ରତିଶତ ଥିବାବେଳେ ତାହାକୁ ୨.୫ ବା ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କଲେ ପରିବାରଗୁଡ଼ିକର ଚିକିତ୍ସା ବାବଦ ବ୍ୟୟ ମୋଟ ଆୟର ୩୫ ପ୍ରତିଶତକୁ ଖସିଆସିବ । ସରକାରୀ ସ୍ବାସ୍ଥ୍ୟସେବା ଭଲ ହେଲେ ଭାରତ ପରି ଦେଶରେ ଲୋକମାନଙ୍କ ହାରାହାରି ଆୟୁ ମଧ୍ୟ ବଢିବ ।

ଦେଶରେ ଉପଲବ୍ଧ ସ୍ବାସ୍ଥ୍ୟ ସେବାର ଏକ ବଡ଼ ଭାଗ ଘରୋଇ କମ୍ପାନିମାନଙ୍କ ଦ୍ବାରା ପ୍ରଦାନ କରାଯାଉଥିବାରୁ ସ୍ବାସ୍ଥ୍ୟସେବା କ୍ଷେତ୍ର ପାଇଁ ସରକାର ଏକ ନିୟାମକ ଗଠନ କରିବା ଆବଶ୍ୟକ ବୋଲି ସର୍ଭେରେ କୁହାଯାଇଛି ।

ସମ୍ବନ୍ଧିତ ଖବର