ନୂଆଦିଲ୍ଲୀ : ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଭଳି ଆନ୍ତର୍ଜାତିକ ସମସ୍ୟା ଓ ଦେଶ ଭିତରେ କୃଷି, ବାଣିଜ୍ୟ, ପରିବହନ, ଯୋଗାଯୋଗ ଓ ପ୍ରସାରଣ କ୍ଷେତ୍ରର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ୨୦୧୮-୧୯ରେ ଦେଶର ବିକାଶ ହାର ୬.୮ ପ୍ରତିଶତକୁ ଖସିଯାଇଥିଲା। ଏବେ କିନ୍ତୁ ସ୍ଥିତିରେ ସୁଧାର ହେଉଛି। ପୁଞ୍ଜିନିବେଶ ଓ ଗ୍ରାହକଙ୍କ ଦ୍ବାରା ବିଭିନ୍ନ ସାମଗ୍ରୀର ବ୍ୟବହାର ବୃଦ୍ଧି ପାଉଥିବାରୁ ୨୦୧୯-୨୦ରେ ଭାରତ ୭ ପ୍ରତିଶତ ବେଗରେ ଆଗକୁ ବଢ଼ିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି।

Advertisment

ଆଜି ସଂସଦରେ ଏହି ରିପୋର୍ଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି। ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣିଅନ ପ୍ରସ୍ତୁତ କରିଥିବା ଏହି ରିପୋର୍ଟରେ ୫ ବର୍ଷରେ ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଦେଶକୁ ବାର୍ଷିକ ୮ ପ୍ରତିଶତ ବେଗରେ ଆଗକୁ ବଢ଼ିବାକୁ ପଡ଼ିବ ବୋଲି କୁହାଯାଇଛି। ଟିକସ ରାଜସ୍ବ କମୁଥିବା ବେଳେ କୃଷି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଯୋଗୁ ଭାରତ ଆର୍ଥିକ କ୍ଷେତ୍ରରେ କେତେକ ସମସ୍ୟା ସାମ୍ନା କରିପାରେ ବୋଲି ସର୍ଭେରେ ଆକଳନ କରାଯାଇଛି। ଇରାନରୁ ତେଲ ଆମଦାନୀ କମିବା, ଜିଏସଟି ବାବଦରେ କମ୍ ଟିକସ ଆଦାୟ ହେବା, ବଡ଼ ସ୍କିମ୍, ଚାଷୀଙ୍କ ଆୟ ଓ ସ୍ବାସ୍ଥ୍ୟ ସେବାରେ ଅଧିକ ପାଣ୍ଠି ବ୍ୟୟ କରାଯାଉଥିବାରୁ ଭାରତ ବିଭିନ୍ନ ଆହ୍ବାନର ସମ୍ମୁଖୀନ ହୋଇପାରେ ବୋଲି ସର୍ଭେରେ ପୂର୍ବାନୁମାନ କରାଯାଇଛି।

ମୁଖ୍ୟାଂଶ

‌ଲୋକଙ୍କ ଆୟୁ ବଢ଼ୁଛି, ଅବସର ବୟସ ବଢ଼ାଅ
୫ ବର୍ଷରେ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ହେବା ପାଇଁ ବାର୍ଷିକ ୮% ଅଭିବୃଦ୍ଧି ଜରୁରୀ
୨୦୧୯-୨୦ରେ ଅଶୋଧିତ ତେଲ ଦର କମ୍ ରହିବ
୨୦୧୮-୧୯ରେ କେନ୍ଦ୍ର ଓ ରାଜ୍ୟର ବିତ୍ତୀୟ ନିଅଣ୍ଟ ୫.୮% ରହିପାରେ
ଆମଦାନୀରେ ୧୫.୪%, ରପ୍ତାନିରେ ୧୨.୫% ବୃଦ୍ଧି ହେବ
୨୮୩.୪ ନିୟୁତ ଟନ୍‌ର ଖାଦ୍ୟଶସ୍ୟ ଉତ୍ପାଦନ ହେବ
ବଡ଼ ହେବା‌ କ୍ଷମତା ଥିବା ଛୋଟ ସଂସ୍ଥାକୁ ବଡ଼ କର
ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ପଡ଼ିବ
ନୀତି ନିୟମରେ ସ୍ଥିରତା, ଦକ୍ଷ ଶ୍ରମ ବଜାର ଏବଂ ପ୍ରଯୁକ୍ତିର ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ହେବ

ସର୍ଭେରେ କର୍ମଚାରୀମାନଙ୍କ ଅବସର ବୟସ ସୀମା ବଢ଼ାଇବା, ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଅଧିକ ଘରୋଇ ପୁଞ୍ଜି ଆକୃଷ୍ଟ କରିବା, ଖାଦ୍ୟ ସବସିଡିକୁ କମ୍ କରିବା, ଗରିବଙ୍କ କଲ୍ୟାଣ ପାଇଁ ସ୍ବତନ୍ତ୍ର ତଥ୍ୟ ପ୍ରସ୍ତୁତ କରିବା, ଜାତୀୟ ସ୍ତରରେ ସର୍ବନିମ୍ନ ମଜୁରି ଲାଗୁ କରିବା, ଟିକସଦାତାଙ୍କ ନାମରେ ସ୍କୁଲ ଓ ରାସ୍ତାର ନାମକରଣ କରିବା, ନିମ୍ନ ସ୍ତରରେ ଥିବା ଅଦାଲତ ଗୁଡ଼ିକରେ ସଂସ୍କାର ଆଣିବା ଏବଂ ଏମଏସଏମଇ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ ଲୋକଙ୍କ ମଧ୍ୟରେ ଋଣ ପରିଶୋଧ କରିବା ଓ ସଞ୍ଚୟ ଅଭ୍ୟାସ ବୃଦ୍ଧି ପାଇଁ ‌ଧା‌ର୍ମିକ ଭାବନାକୁ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

‘ବେଟି ବଚାଓ, ବେଟି ପଢ଼ାଓ’କୁ ‘ବେଟି ଆପ୍‌କି ଧନଲକ୍ଷ୍ମୀ ଔର୍‌ ବିଜୟଲକ୍ଷ୍ମୀ’ ଏବଂ ‘ସ୍ବଚ୍ଛ ଭାରତ’କୁ ‘ସୁନ୍ଦର ଭାରତ’ ନାମକରଣ କରିବାକୁ ସର୍ଭେରେ ପ୍ରସ୍ତାବ ଦିଆଯାଇଛି। କୃଷି କ୍ଷେତ୍ରରେ ଆଗାମୀ ଦିନରେ ଦେଖାଦେବାକୁ ଥିବା ଜଳ ସଙ୍କଟ ଦୂର କରିବାକୁ ସ୍ବତନ୍ତ୍ର ନୀତି ପ୍ରଣୟନ କରିବାକୁ ପରାମର୍ଶ ଦିଆଯାଇଛି ଏବଂ ଗାନ୍ଧୀଙ୍କ ନୀତି ଅନୁସାରେ ଗରିବ ଓ ସାଧାରଣ ଲୋକଙ୍କ ଉପରେ ସର୍ବାଧିକ ଗୁରୁତ୍ବ ଦେବାକୁ ସର୍ଭେରେ ପ୍ରସ୍ତାବ ରଖାଯାଇଛି।