ନୂଆଦିଲ୍ଲୀ : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇକୁ ଆଧୁନିକ ଯୁଗରେ ଏକ ଯୁଗାନ୍ତକାରୀ ଉଦ୍ଭାବନ ହିସାବରେ ଦେଖାଯାଉଛି । ଏହାର ଲାଭକାରୀ ଗୁଣକୁ ନେଇ ଅନେକ ଉତ୍ସାହିତ ଥିବାବେଳେ ଆଉ ଏକ ବର୍ଗ ଏହାର ନକାରାତ୍ମକ ଦିଗକୁ ନେଇ ଚିନ୍ତିତ ଅଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏଆଇକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଏଆଇ ଆସିବା ଦ୍ବାରା ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଉପରେ ପ୍ରଭାବ ପକାଇବ । ଏହା ଦ୍ବାରା କେବଳ ଯେ ଗୋଟିଏ ବର୍ଗ ନୁହନ୍ତି, ବରଂ ଅଳ୍ପ କୁଶଳୀ, ଅର୍ଦ୍ଧକୁଶଳୀ ଓ ଉଚ୍ଚକୁଶଳୀ ସବୁ ପ୍ରକାରର କର୍ମଚାରୀମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି । ଆଗାମୀ ବର୍ଷମାନଙ୍କରେ ଏହା ଏକ ସମସ୍ୟାଭାବେ ଦେଖାଦେବ ଓ ଦେଶର ଉଚ୍ଚ ଅଭିବୃଦ୍ଧି ପଥରେ ଏକ ବଡ଼ ପ୍ରତବନ୍ଧକ ସୃଷ୍ଟି କରିବ । ଏହି ବିପଦର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ର ମଧ୍ୟରେ ସହଯୋଗିତା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି ।
କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଗୁଁ ଘରୋଇ କ୍ଷେତ୍ରରେ ଅନେକ ନିଯୁକ୍ତି ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି । ଗୋଟିଏ ପଟେ ଭାରତରେ କୁଶଳୀ ପ୍ରତିଭାଙ୍କ ଅଭାବ ଥିବା ଘରୋଇ କ୍ଷେତ୍ର ପକ୍ଷରୁ ଅଭିଯୋଗ କରାଯାଉଥିବାବେଳେ ଏହାର ସୁଯୋଗ ନେଇ ଏଆଇର ଉପଯୋଗ କରାଯାଇପାରେ ବୋଲି କୁହାଯାଉଛି ।