ଦେଶରେ ଖାଦ୍ୟ ଶସ୍ତା, ଶିକ୍ଷା ମହଙ୍ଗା
୨୦୩୦ ସୁଦ୍ଧା ୮ କୋଟି ଭଲ ଚାକିରି ସୃଷ୍ଟି ପ୍ରସ୍ତାବ
ନୈତିକ ଉପାୟରେ ସମ୍ପତ୍ତି ସୃଷ୍ଟିକୁ ଗୁରୁତ୍ବ

Advertisment

ନୂଆଦିଲ୍ଲୀ : ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନର ଦିନକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶବାସୀଙ୍କୁ ଅର୍ଥନୀତିର ସ୍ବାସ୍ଥ୍ୟ ଓ ଭବିଷ୍ୟତକୁ ନେଇ କିଛିଟା ଆଶା ଦେଖାଇଛନ୍ତି। ଅର୍ଥନୀତିରେ ବର୍ତ୍ତମାନ ଦେଶର ଯେଉଁ ସ୍ଥିତି ରହିଛି ତାହା ସବୁଠାରୁ ଖରାପ ଅବସ୍ଥା ବୋଲି କହିଛନ୍ତି। ତେବେ ଏହାଠାରୁ ଆଉ ତଳକୁ ଅର୍ଥନୀତି ଖସିବ ନାହିଁ ବୋଲି ଆଶ୍ବାସନା ଦେଇଛନ୍ତି।

ସଂସଦରେ ଉପସ୍ଥାପିତ ୨୦୧୯-୨୦ ଅର୍ଥନୈତିକ ସର୍ଭେରେ କୁହାଯାଇଛି ଚଳିତ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ୫ ପ୍ରତିଶତ ରହିବ। କିନ୍ତୁ ୨୦୨୦-୨୧ରେ ଏହା ୬ ପ୍ରତିଶତରୁ ୬.୫ ପ୍ରତିଶତ ସ୍ତରକୁ ବୃଦ୍ଧି ପାଇବ। ଏକ ଦୃଢ଼ ଜନମତ ମିଳିଥିବାରୁ ଅର୍ଥନୈତିକ ସଂସ୍କାରରେ ତ୍ବରିତ ସଂସ୍କାର ଆଣିବା କ୍ଷମତା ସରକାରଙ୍କ ନିକଟରେ ରହିଛି। ମାନୁଫାକ୍‌ଚରିଂ ବା ଉତ୍ପାଦନ ଏବଂ ବିଶ୍ବ ବାଣିଜ୍ୟ କ୍ଷେତ୍ରରେ ଏବେ ଯେଉଁ ଲକ୍ଷଣମାନ ଦେଖାଦେଉଛି ସେଥିରୁ ମାନ୍ଦାବସ୍ଥା ହଟୁଥିବା ଜଣାଯାଉଛି। ତେଣୁ ଆସନ୍ତା ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ଉପରେ ଉତ୍ପାଦନ ଏବଂ ବିଶ୍ବ ବାଣିଜ୍ୟର ଅନୁକୂଳ ପ୍ରଭାବ ପଡ଼ିବ ବୋଲି ସର୍ଭେରେ କୁହାଯାଇଛି। ସୁଲଭ ମୂଲ୍ୟର ଗୃହ ଯୋଗାଣ, ‘ମେକ୍ ଇନ୍ ଇଣ୍ଡିଆ’, କମ୍ପାନି ଟିକସ ହାରରେ ହ୍ରାସ ଏବଂ ସହଜ ବ୍ୟାବସାୟିକ ବାତାବରଣରେ ଆସିଥିବା ଉନ୍ନତି ସମେତ ଅନ୍ୟାନ୍ୟ କେତେକ କାରଣ ଅର୍ଥନୈତିକ ଅଭିବୃଦ୍ଧିକୁ ଗତିଶୀଳ କରିବ ବୋଲି ସର୍ଭେରେ ଦର୍ଶାଯାଇଛି।

ଏସବୁ ସତ୍ତ୍ବେ ସର୍ଭେରେ କେତେକ ଚେତାବନୀ ମଧ୍ୟ ରହିଛି। ବିଶ୍ବ ବାଣିଜ୍ୟରେ ନିରନ୍ତର ଭାବେ ଦେଖାଦେଉଥିବା ଉତ୍ତେଜନା, ଯୁକ୍ତରାଷ୍ଟ୍ର ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ରାଜନୈତିକ ହିଂସା, ବିଶ୍ବର ବିକଶିତ ଦେଶଗୁଡ଼ିକରେ ଅର୍ଥନୈତିକ ସୁଧାର ସେତେଟା ଉତ୍ସାହଜନକ ନରହିବା ଆଦି ବିପଦ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ତଳକୁ ଟାଣିବା ଆଶଙ୍କା ମଧ୍ୟ ରହିଛି। କିନ୍ତୁ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ଦିଗକୁ ବିଶ୍ଳେଷଣ କଲେ ଭାରତର ଅଭିବୃଦ୍ଧି ଊର୍ଧ୍ବମୁଖୀ ହେବା ଆଶା କରାଯାଉଛି ବୋଲି ସର୍ଭେରେ ସ୍ପଷ୍ଟ କରାଯାଇଛି।

୨୦୧୯-୨୦ ଆର୍ଥିକ ବର୍ଷର ଜିଡିପି ଆକଳନକୁ ୫ ପ୍ରତିଶତରେ ରଖାଯାଇଥିବାରୁ ଆର୍ଥିକ ବର୍ଷର ଦ୍ବିତୀୟାର୍ଦ୍ଧରେ ଏଥିରେ ଅଧିକ ଉନ୍ନତି ଆସିବା ଆଶା ରହିଛି। ଦ୍ବିତୀୟାର୍ଦ୍ଧରେ ଅର୍ଥନୈତିକ ଅଭିବୃଦ୍ଧିରେ ସୁଧାର ଆସିବାର ୧୦ଟି ଅନୁକୂଳ କାରଣ ରହିଛି। ସେଗୁଡ଼ିକ ମଧ୍ୟରେ ଦେଶକୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି (ଏଫ୍‌ଡିଆଇ) ଆଗମନ, ଅଧିକ ଚାହିଦା ସୃଷ୍ଟି, ଗ୍ରାମାଞ୍ଚଳ ଲୋକଙ୍କ ଖର୍ଚ୍ଚରେ ଉନ୍ନତି, ଶିଳ୍ପାନୁଷ୍ଠାନଗୁଡ଼ିକରେ ଉତ୍ପାଦନ ବୃଦ୍ଧି, ମାନୁଫା‌କ୍‌ଚରିଂ ବା ଉତ୍ପାଦନ କ୍ଷେତ୍ରରେ ସୁଧାର, ଦ୍ରବ୍ୟ ରପ୍ତାନି ବଢ଼ିବା, ବୈଦେଶିକ ମୁଦ୍ରା ଭଣ୍ଡାରରେ ଅଧିକ ରାଶି ମହଜୁଦ ରହିବା ଏବଂ ଜିଏସ୍‌ଟି ସଂଗ୍ରହ ହାରରେ ଉନ୍ନତି ଆଦି ଅନ୍ୟତମ।

ସର୍ଭେରେ ସରକାରୀ ବ୍ୟାଙ୍କର ମିଶ୍ରଣ ବିଷୟରେ ଉଲ୍ଲେଖ କରାଯାଇଛି। ଏ ସମ୍ପର୍କରେ କୁହାଯାଇଛି, ବ୍ୟାଙ୍କ ମିଶ୍ରଣ ଫଳରେ ନୂଆ କରି ଗଠନ ହେଉଥିବା ବ୍ୟାଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ କମ୍ ସୁଧ ହାରରେ ଲୋକଙ୍କୁ ଋଣ ମିଳିପାରିବ। ଏଥିସହିତ ଦେଶରେ ଜିଏସ୍‌ଟି ବ୍ୟବସ୍ଥା ସଂଗଠିତ ହେବା ପରେ ଘରୋଇ ବଜାରରେ ବ୍ୟବସାୟ ଖର୍ଚ୍ଚ କମିବ ଏବଂ ଏହାଦ୍ବାରା ଅଧିକ ନିବେଶ ଦେଶକୁ ଆସିବ। ଭୂ ଏବଂ ଶ୍ରମ ବଜାରରେ ସଂସ୍କାର ମଧ୍ୟ ବ୍ୟାବସାୟିକ ଖର୍ଚ୍ଚକୁ ହ୍ରାସ କରିବ ବୋଲି ସର୍ଭେରେ କୁହାଯାଇଛି।

ଅର୍ଥନୈତିକ ଅଭିବୃଦ୍ଧିରେ ସୁଧାର ଆଣିବା ସରକାରଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଚଳିତ ଆର୍ଥିକ ବର୍ଷ ପାଇଁ ସରକାର ବିତ୍ତୀୟ ନିଅଣ୍ଟକୁ ‌ଯେତିକିରେ ରଖିବା ଲାଗି ସୀମା ଧାର୍ଯ୍ୟ କରିଛନ୍ତି ତାହାକୁ କୋହଳ କରିବାକୁ ପଡ଼ିବ। ଅର୍ଥନୈତିକ ସର୍ଭେରେ ୨୦୨୫ ସୁଦ୍ଧା ଉତ୍ତମ ବେତନ ମିଳୁଥିବା ୪ କୋଟି ଚାକିରି ଏବଂ ୨୦୩୦ ସୁଦ୍ଧା ୮ କୋଟି ଚାକିରି ସୃଷ୍ଟିର ପ୍ରସ୍ତାବ ରଖାଯାଇଛି। ଏସବୁ ସହିତ ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାକୁ ହାସଲ କରିବାକୁ ହେଲେ ଦେଶର ଅର୍ଥନୀତିକୁ ବିଶ୍ବ ଅର୍ଥନୀତି ସହିତ ଅଧିକ ମାତ୍ରାରେ ଯୋଡ଼ିବାକୁ ହେବ। ନୈତିକ ଉପାୟରେ ଲୋକମାନଙ୍କୁ ଅଧିକରୁ ଅଧିକ ମାତ୍ରାରେ ସମ୍ପତ୍ତି ସୃଷ୍ଟି କରିବାକୁ ହେବ। ମେକ୍ ଇନ୍ ଇଣ୍ଡିଆକୁ ଅଧିକ ପ୍ରାଧାନ୍ୟ ଦେବା ସହିତ ରପ୍ତାନିକୁ ବଢ଼ାଇବାକୁ ହେବ ବୋଲି ସର୍ଭେରେ କୁହାଯାଇଛି।

ଭାରତ ସମ୍ପର୍କରେ ଯେଉଁସବୁ ଗୋଲାପି ତଥ୍ୟ ସର୍ଭେରେ ରଖାଯାଇଛି ତାହା ହେଲା ଜାନୁଆରି ୧୦ ସୁଦ୍ଧା ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର‌ ୪୬୧.୨ ବିଲିଅନ ଡଲାରରେ ପହଞ୍ଚିଛି। ସେହିଭଳି ଦେଶର ବୈଦେଶିକ ଋଣ ସ୍ତର ସେପ୍ଟେମ୍ବର ୨୦୧୯ ସୁଦ୍ଧା ଜିଡିପିର ୨୦.୧ ପ୍ରତିଶତ ଭଳି ନିମ୍ନ ସ୍ତରରେ ରହିଛି। ବ୍ୟାଙ୍କର କର୍ମଚାରୀମାନଙ୍କୁ ମାଲିକ ହେବାର ଅନୁଭୂତି ଦେବା ପାଇଁ ସେମାନଙ୍କୁ ଷ୍ଟକ୍ ପ୍ରଦାନର ପ୍ରସ୍ତାବ ସର୍ଭେରେ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିବାରୁ ଦେଶରେ ଖଣିଜ ସାମଗ୍ରୀର ଉତ୍ପାଦନରେ ଉନ୍ନତି ଆସିଛି। ସେହିଭଳି ଦେଶରେ ଲୋକମାନଙ୍କ ସାମାଜିକ ମଙ୍ଗଳ ସ୍ଥିତିରେ ଉନ୍ନତି ଆସିଥିବା ବିଷୟ ଦର୍ଶାଇବା ପାଇଁ ସର୍ଭେରେ ପ୍ରଥମ ଥର ପାଇଁ ‘ଥାଳି‌ନୋମିକ୍ସ’ ନାମରେ ଏକ ନୂଆ ଅଧ୍ୟାୟ ଯୋଡ଼ାଯାଇଛି। ଗତ ୧୩ ବର୍ଷ ଅର୍ଥାତ୍ ୨୦୦୬ରୁ ୨୦୧୯ ମଧ୍ୟରେ ୫ ଜଣ ସଦସ୍ୟ ବିଶିଷ୍ଟ ଗୋଟିଏ ପରିବାର ନିରାମିଷ ଥାଳି ବାବଦରେ ବାର୍ଷିକ ୧୦୮୮୭ ଟଙ୍କା ଏବଂ ଆମିଷ ଥାଳି ବାବଦରେ ୧୧,୭୮୭ ଟଙ୍କା ସଞ୍ଚୟ କରିପାରିଛି। ସାଧାରଣ ଲୋକଙ୍କ ସେମାନଙ୍କ ଦୈନନ୍ଦିନ ଜୀବନରେ ଅର୍ଥନୀତିର ପ୍ରଭାବ କ’ଣ ରହିଛି ତାହା ସରଳ ଭାଷାରେ ବୁଝାଇ ଦେବା ପାଇଁ ଏହି ତଥ୍ୟ ରଖାଯାଇଛି। ୧୩ ବର୍ଷ ମଧ୍ୟରେ ନିରାମିଷ ଥାଳି ମୂଲ୍ୟ ୨୯ ପ୍ରତିଶତ ସୁଲଭ ହୋଇଥିବାବେଳେ ଆମିଷ ଥାଳି ମୂଲ୍ୟ ୧୮ ପ୍ରତିଶତ ସୁଲଭ ହୋଇଛି ବୋଲି ସର୍ଭେରେ କୁହାଯାଇଛି। ଏହାଛଡ଼ା ଭାରତ ସେବା ରପ୍ତାନି କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛି। ବିଶ୍ବର ମୋଟ ସେବା ରପ୍ତାନିରେ ଭାରତର ଅଂଶ ୨୦୧୮ରେ ୩.୫ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ସାମଗ୍ରୀ ରପ୍ତାନିରେ ଭାରତର ‌ଅଂଶ ୧.୭ ପ୍ରତିଶତ ରହିଛି।

ଅର୍ଥନୀତିରେ ରହିଥିବା ଏକ ଭୟଙ୍କର ବିଲକ୍ଷଣକୁ ମଧ୍ୟ ସର୍ଭେରେ ଦର୍ଶାଯାଇଛି। ତାହା ହେଲା ଦିଲ୍ଲୀରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀର ଲାଇସେନ୍ସ ହାସଲ ପାଇଁ ଜଣକୁ ଯେତିକି କାଗଜପତ୍ର ପ୍ରସ୍ତୁତ କରିବା ଆବଶ୍ୟକ ପଡ଼ୁଛି ତାହାଠାରୁ ଅଧିକ କାଗଜପତ୍ର ରେସ୍ତୋରାଁ ଖୋଲିବା ପାଇଁ ଆବଶ୍ୟକ ହେଉଛି। ସେହିଭଳି ନିକଟରେ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଯୋଗାଇ ଦିଆଯିବାକୁ ଥିବା ୧୦୨ ଲକ୍ଷ କୋଟି ଟଙ୍କାର ଜାତୀୟ ଭିତ୍ତିଭୂମି ପାଣ୍ଠି ସଂଗ୍ରହ ସରକାରଙ୍କ ପାଇଁ ଆହ୍ବାନପୂର୍ଣ୍ଣ ରହିବ। ବିଦ୍ୟାଳୟ ଶିକ୍ଷାରେ ପିଲାମାନେ ଅଧାରୁ ପାଠ ଛାଡ଼ିବା ହାର ଉଦ୍‌ବେଗଜ‌ନକ ରହିଛି। ସେହିଭଳି ଦେଶରେ ଉଚ୍ଚଶିକ୍ଷା ମଧ୍ୟ ବ୍ୟୟବହୁଳ ରହିବା ନେଇ ସ‌ର୍ଭ‌େରେ ଚିନ୍ତାବ୍ୟକ୍ତ କରାଯାଇଛି।