ନୂଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବ। ଶୁକ୍ରବାର ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡ଼ିଛି। ବିଶ୍ବସ୍ତରରେ ବିଭିନ୍ନ ସାମଗ୍ରୀର ଚାହିଦା ଦୁର୍ବଳ ରହିବା ଏବଂ ଦେଶ ଭିତରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଂପର୍କିତ କାରଣ ପାଇଁ ଅଭିବୃଦ୍ଧି କମ୍ ରହିବ। ତେବେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। 

Advertisment

ରିପୋର୍ଟ କହୁଛି, ୨୦୪୭ ସୁଦ୍ଧା ଭାରତ ବିକଶିତ ହେବାକୁ ହେଲେ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ବାର୍ଷିକ ୮ ପ୍ରତିଶତ ହାରରେ ଅଭିବୃଦ୍ଧି ଆବଶ୍ୟକ। ଏହାକୁ ହାସଲ ପାଇଁ ଅର୍ଥାତ୍ ଦ୍ରୁତ ବିକାଶ ଲାଗି ଭାରତକୁ ଭିତ୍ତିଭୂମିରେ ବ୍ୟାପକ ନିବେଶ କରିବାକୁ ପଡ଼ିବ। କେବଳ ସରକାର ଚାହିଲେ ସବୁ କାମ ହୋଇପାରିବ ନାହିଁ। ଘରୋଇ ସଂସ୍ଥାଗୁଡ଼ିକୁ ସହଯୋଗିତାର ହାତ ବଢ଼ାଇବାକୁ ପଡ଼ିବ। ଉଚ୍ଚ ଅଭିବୃଦ୍ଧି ଲାଗି ବିନିୟନ୍ତ୍ରଣ (ଡିରେଗୁଲେସନ୍‌)କୁ ଗୁରୁତ୍ବ ଦେବାକୁ କୁହାଯାଇଛି। ଆୟୁଷ୍ମାନ ଭାରତ ଯୋଜନା ଲୋକମାନଙ୍କ ପକେଟ୍‌ରୁ ଚିକିତ୍ସା ପାଇଁ ହେଉଥିବା ଖର୍ଚ୍ଚ କମ୍ କରିବ ବୋଲି ରିପୋର୍ଟରେ ଦାବି କରାଯାଇଛି। ସର୍ଭେରେ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଛି। କର୍ମ-ଜୀବନ ସନ୍ତୁଳନକୁ ନେଇ ଲାଗିରହିଥିବା ବିତର୍କ‌ ସମ୍ପର୍କରେ କୁହାଯାଇଛି ଯେ ସପ୍ତାହକୁ ୬୦ ଘଣ୍ଟାରୁ ଅଧିକ ସମୟ କାମ କଲେ ତାହା ସ୍ବାସ୍ଥ୍ୟକୁ ପ୍ରଭାବିତ କରିବ।

ସେହିଭଳି ଡାକ୍ତରୀ ପାଠପଢ଼ା ଲାଗି ଦରକାର ହେଉଥିବା ମୋଟା ଫି’କୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ଫି’ ୧ କୋଟି ଟଙ୍କାକୁ ହ୍ରାସ ହେବା ଦରକାର ବୋଲି ଆହ୍ବାନ ଦିଆଯାଇଛି। ସୋସିଆଲ୍ ମିଡିଆର ଅତ୍ୟଧିକ ବ୍ୟବହାର, ଅତ୍ୟଧିକ କାମ ଚାପ ଓ କମ୍ ବ୍ୟାୟାମ ଲୋକମାନଙ୍କ ମାନସିକ ସ୍ବାସ୍ଥ୍ୟ ବିଗାଡ଼ୁଛି। ଦରଦାମ୍‌ ଉପରେ ନିୟନ୍ତ୍ରଣ ଆଣିବା ଲାଗି ଶସ୍ୟଜାତୀୟ ଖାଦ୍ୟ, ଡାଲି ଓ ଖାଇବା ତେଲ ଉତ୍ପାଦନ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ବଜାରରେ ବିକ୍ରି ହେଉଥିବା ଅତି ପ୍ରକ୍ରିୟାକରଣ ଖାଦ୍ୟ ସାମଗ୍ରୀ ଉପରେ ‘ସ୍ବାସ୍ଥ୍ୟ’ ଟିକସ ଲଗାଇବାକୁ ସର୍ଭେରେ ପରାମର୍ଶ ଦିଆଯାଇଛି। ଦେଶର ବିକାଶର ଲାଭ କେଉଁ କ୍ଷେତ୍ରକୁ କିଭଳି ମିଳୁଛି ତାହାର ଚିତ୍ର ଉପସ୍ଥାପନ କରିବା ଲାଗି ସର୍ଭେରେ କୁହାଯାଇଛି ଯେ କର୍ପୋରେଟ୍ ସଂସ୍ଥାଗୁଡ଼ିକର ଲାଭ ଗତ ୧୫ ବର୍ଷରେ ସର୍ବାଧିକ ହୋଇଛି। କିନ୍ତୁ ଗରିବ ଲୋକମାନେ ପାଉଥିବା ମଜୁରି ଯେଉଁଠିଥିଲା, ଏବେ ବି ସେଇଠି ସ୍ଥିର ହୋଇ ରହିଯାଇଛି।  ଗତ ତିନି ବର୍ଷରେ ସିଷ୍ଟମେଟିକ୍ ଇନ୍‌ଭେଷ୍ଟମେଣ୍ଟ୍ ପ୍ଲାନ୍ (ଏସ୍‌ଆଇପି)ରେ ନିବେଶ ଦ୍ବିଗୁଣିତ ହୋଇଛି। 

ବିକଶିତ ଭାରତ ପାଇଁ ୮ ପ୍ରତିଶତ ଅଭିବୃଦ୍ଧି ଆବଶ୍ୟକ
ଡାକ୍ତରୀ ପାଠପଢ଼ା ଫି’ କମିବା ଉପରେ ଗୁରୁତ୍ବ
ସପ୍ତାହକୁ ୬୦ ଘଣ୍ଟାରୁ ଅଧିକ କାମ ସ୍ବାସ୍ଥ୍ୟ ପ୍ରତି ହାନିକାରକ
କର୍ପୋରେଟ୍ ଲାଭ ବଢ଼ିଛି, ତଦନୁଯାୟୀ ମଜୁରି ବଢ଼ିନି

ପୁଞ୍ଜି ବଜାର ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ଏହା ସିଧାସଳଖ ଆମେରିକାରେ ଘଟୁଥିବା ଘଟଣା ସହ ଯୋଡ଼ି ହୋଇରହିଛି। ସେଠାକାର ବଜାରରେ ସୁଧାର ହେବା ସମ୍ଭାବନା ଥିବାରୁ ତାହା ସେୟାର ବଜାରକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ଖୁଚୁରା ନିବେଶକମାନଙ୍କୁ ସତର୍କ ରହିବା ଲାଗି ସର୍ଭେରେ ପରାମର୍ଶ ଦିଆଯାଇଛି। ବିତ୍ତୀୟ ନିଅଣ୍ଟକୁ ନେଇ ଚଳିତବର୍ଷ କିମ୍ବା ଆସନ୍ତାବର୍ଷ ଲାଗି ସର୍ଭେରେ କିଛି ଆକଳନ କରାଯାଇନାହିଁ। ବିନିର୍ମାଣ କ୍ଷେତ୍ର ଉପରେ ଚାପ ଥିବା କୁହାଯାଇଛି। ଯୋଗାଣ ଶୃଙ୍ଖଳରେ ବିଭ୍ରାଟ ପାଇଁ ୟୁରୋପ ଓ ଏସିଆର କିଛି ଅଞ୍ଚଳରେ ଉତ୍ପାଦନ କମ୍ ହୋଇଛି। କିନ୍ତୁ ଘରୋଇ ଉପଯୋଗିତା ଦୃଢ଼ ଥିବା ରିପୋର୍ଟରେ କୁହାଯାଇଛି। ଚଳିତ ଆର୍ଥିକ ବର୍ଷରେ ଶିଳ୍ପ ଅଭିବୃଦ୍ଧି ୬.୨ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ମୁଦ୍ରାସ୍ଫୀତି, ବିତ୍ତୀୟ ସ୍ବାସ୍ଥ୍ୟକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଥିବାରୁ ସର୍ଭେ ରିପୋର୍ଟରେ ସରକାରଙ୍କୁ ପ୍ରଶଂସା କରାଯାଇଛି। ଖୁଚୁରା ମୁଦ୍ରାସ୍ଫୀତି ହାର ୨୦୨୩-୨୪ରେ ୫.୪ ପ୍ରତିଶତ ଥିଲା। ୨୦୨୪ ଏପ୍ରିଲ୍‌-ଡିସେମ୍ବରରେ ତାହା ୪.୯ ପ୍ରତିଶତ ହୋଇଛି। କିନ୍ତୁ ଆଗାମୀ ଦିନରେ ତାହା କମ୍ ହେବାର ସମ୍ଭାବନା ଥିବା ସର୍ଭେରେ କୁହାଯାଇଛି। 

ଗତ ୭ ବର୍ଷ ମଧ୍ୟରେ ଶ୍ରମ ବଜାରରେ ସର୍ବାଧିକ ସୁଧାର ଘଟିଛି। ବେକାରୀ ହାର ୩.୨ ପ୍ରତିଶତକୁ ହ୍ରାସ ପାଇଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ରେ ନୂଆ ସଦସ୍ୟଙ୍କ ସଂଖ୍ୟା ୬ ବର୍ଷରେ ଦୁଇ ଗୁଣା ବଢ଼ିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ଯେଉଁଭଳି ଦ୍ରୁତ ବିକାଶ ହେଉଛି ତାହା ଶ୍ରମ ବଜାର ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଥିବା ବେଳେ ଅନେକ ଆହ୍ବାନ ମଧ୍ୟ ସୃଷ୍ଟି କରିଛି। ୨୦୩୦ ସୁଦ୍ଧା ଡେଲିଭରି ଏଜେଣ୍ଟଙ୍କ ଭଳି ‘ଗିଗ୍‌’ କର୍ମଚାରୀଙ୍କ ସଂଖ୍ୟା ୨୩.୫ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। କାରଖାନାରେ ଅଧିକ ସଂଖ୍ୟାରେ ମହିଳା ଯେଭଳି କାମ କରିପାରିବେ ସେଥିପାଇଁ ରାଜ୍ୟଗୁଡ଼ିକ ନିୟମ କୋହଳ କରିବା ଦରକାର ବୋଲି ସର୍ଭେରେ ପରାମର୍ଶ ଦିଆଯାଇଛି। ଆର୍ଥିକ ସୁବିଧାକୁ ମାତ୍ରାଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଦ୍ବାରା ଋଣ ବୋଝ ବଢ଼ିବା ଆଶଙ୍କା ରହିଥିବାର ସର୍ଭେ ସତର୍କ କରାଇଛି। ଏଆଇର ଖରାପ ପ୍ରଭାବକୁ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ରିପୋର୍ଟରେ କୁହାଯାଇଛି।