ଷ୍ଟକହୋମ୍‌: ଚଳିତବର୍ଷ ପାଇଁ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ୩ ଜଣ ଅର୍ଥନୀତିଜ୍ଞଙ୍କୁ ପ୍ରଦାନ କରାଯିବ। ରୟାଲ ‌ସ୍ବିଡିସ୍ ଏକାଡେମି ଅଫ୍‌ ସାଇନ୍‌ସେସ୍‌ ପକ୍ଷରୁ ଆଜି ସେମାନଙ୍କର ନାମ ଘୋଷଣା କରାଯାଇଛି। ସେହି ଅର୍ଥନୀତିଜ୍ଞମାନେ ହେଲେ ନେଦରଲ୍ୟାଣ୍ଡ୍‌ରେ ଜନ୍ମିତ ଜୋଏଲ୍‌ ମୋକିର, ଫ୍ରାନ୍ସରେ ଜନ୍ମିତ ଫିଲିପ୍‌ ଅଘିଅନ୍‌ ଏବଂ କାନାଡାରେ ଜନ୍ମିତ ଅର୍ଥନୀତିଜ୍ଞ ପିଟର ହୋୱିଟ୍‌। ନବସୃଜନ ପରିଚାଳନା ଅର୍ଥନୈତିକ ଅଭିବୃଦ୍ଧିର ବ୍ୟାଖ୍ୟା ପାଇଁ ସେମାନଙ୍କୁ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ଦିଆଯିବ ବୋଲି କମିଟି ପକ୍ଷରୁ ଘୋଷଣା କରାଯାଇଛି। ପୁରସ୍କାରର ଅଧାରାଶି ଅର୍ଥନୀତିଜ୍ଞ ମୋକିର୍‌ଙ୍କୁ ଦିଆଯିବ। ପ୍ରଯୁକ୍ତିଗତ ଅଗ୍ରଗତି ଜରିଆରେ ଅଭିବୃଦ୍ଧିକୁ କିଭଳି ନିରନ୍ତର ରଖାଯାଇ ପାରିବ ତାହାର ପ୍ରାକ୍‌ ଆବଶ୍ୟକତାକୁ ସେ ଚିହ୍ନଟ କରିଛନ୍ତି। 

Advertisment

ଅନ୍ୟ ଅଧା ପୁରସ୍କାର ରାଶି ଅର୍ଥନୀତିଜ୍ଞ ଅଘିଅନ୍ ଏବଂ ଅର୍ଥନୀତିଜ୍ଞ ହୋୱିଟ୍‌ଙ୍କୁ ଦିଆଯିବ। ସୃଜନଶୀଳ ବିନାଶ ଜରିଆରେ ନିରନ୍ତର ଅଭିବୃଦ୍ଧି ହାସଲ ତତ୍ତ୍ବ ପାଇଁ ସେମାନଙ୍କୁ ଏହି ପୁରସ୍କାର ରାଶି ଦିଆଯିବ। ନିରନ୍ତର ଅଭିବୃଦ୍ଧି କିଭଳି ନବ-ସ୍ବାଭାବିକ ହେଉଛି ତାହା ଉନ୍ମୋଚନ କରିବା ଲାଗି ମୋକିର ଐତିହାସିକ ଉତ୍ସକୁ ଏକ ଉପାୟ ଭାବେ ବ୍ୟବହାର କରିଛନ୍ତି। ଫିଲିପ୍‌ ଅଘିଅନ୍ ଏବଂ ପିଟର ହୋୱିଟ୍ ନିରନ୍ତର ଅଭିବୃଦ୍ଧି ପଛରେ ଥିବା ପଦ୍ଧତି ଉପରେ ଅଧ୍ୟୟନ କରିଛନ୍ତି। ୧୯୯୧ରେ ସେମାନେ ଗୋଟିଏ ନିବନ୍ଧରେ ସୃଜନଶୀଳ ବିନାଶ ବା କ୍ରିଏଟିଭ ଡେଷ୍ଟ୍ରକସନ୍‌ ଉପରେ ଏକ ଗାଣିତିକ ମଡେଲ୍‌ ବିକାଶ କରିଛନ୍ତି। ଯେତେବେଳେ ବଜାରକୁ ନୂଆ ଏବଂ ଉନ୍ନତ ଉତ୍ପାଦ ଆସୁଛି ସେତେବେଳେ କମ୍ପାନିଗୁଡ଼ିକ ବିକ୍ରି କରୁଥିବା ପୁରୁଣା ଉତ୍ପାଦ ସୁଯୋଗ ହରାଉଛନ୍ତି ବୋଲି ନୋବେଲ୍‌ କମିଟି ତାର ଇସ୍ତାହାରରେ କହିଛି।

ନେଦରଲ୍ୟାଣ୍ଡ୍‌ରେ ଜନ୍ମିତ ଜୋଏଲ୍‌ ମୋକିର ଯୁକ୍ତରାଷ୍ଟ୍ର ଆମେରିକାର ନ‌ର୍ଥୱେଷ୍ଟର୍ଣ୍ଣ ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ଫିଲିପ୍‌ ଅଘିଅନ୍ ପ୍ୟାରିସ୍‌ର କଲେଜ୍‌ ଡି ଫ୍ରାନ୍ସ ଏବଂ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ଆଣ୍ଡ୍‌ ପଲିଟିକାଲ ସାଇନ୍ସରେ ପ୍ରଫେସର ଥିବାବେଳେ ପିଟର ହୋୱିଟ୍ ଯୁକ୍ତରାଷ୍ଟ୍ର ଆମେରିକାର ବ୍ରାଉନ ବିଶ୍ବବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ଆସନ୍ତା ଗ୍ରୀଷ୍ମ ଋତୁରେ ୮୦ ବର୍ଷରେ ପାଦ ଦେବାକୁ ଯାଉଥିବା ମୋକିରଙ୍କର ବର୍ତ୍ତମାନ ଅବସର ନେବା ଯୋଜନା ନାହିଁ ବୋଲି କହିଛନ୍ତି। ଅଘିଅନ ତାଙ୍କ ପୁରସ୍କାର ରାଶିକୁ ଗବେଷଣା ଲାବୋରେଟୋରିରେ ଖର୍ଚ୍ଚ କରିବେ ବୋଲି କହିଛନ୍ତି। ଏଥିସହିତ ଚଳିତବର୍ଷର ନୋବେଲ୍‌ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ଶେଷ ହୋଇଛି। ଆଲଫ୍ରେଡ୍‌ ନୋବେଲ୍‌ଙ୍କ ପୁଣ୍ୟତିଥିରେ ଡିସେମ୍ବର ୧୦ରେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ବିଜେତାମାନଙ୍କୁ ପୁରସ୍କାର ସ୍ବରୂପ ଏକ ଡିପ୍ଲୋମା, ସ୍ବର୍ଣ୍ଣ ପଦକ ଏବଂ ୧.୨ ନିୟୁତ ଡଲାରର ଚେକ୍‌ ଦିଆଯିବ।