ବିଭାଜନ ସୃଷ୍ଟିକାରୀ ଟିପ୍ପଣୀରୁ ଦୂରେଇ ରୁହ: ବିଜେପି-କଂ‌ଗ୍ରେସକୁ ଇସିଙ୍କ କଡ଼ା ବାର୍ତ୍ତା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ‌ଭୋଟ୍‌ ଶେଷ ହୋଇଛି। ବାକି ୨ଟି ପର୍ଯ୍ୟାୟ ପାଇଁ ପ୍ରଚାର ମଧ୍ୟ ଜୋରଦାର ଚାଲିଛି। ଏଭଳି ସମୟରେ ନିର୍ବାଚନ କମିସନ ଆଜି ବିଜେପି ଏବଂ କଂଗ୍ରେସ ଦଳର ପ୍ରଚାର ରଣନୀତିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଭୟ ବିଜେପି ଏବଂ କଂଗ୍ରେସ ଦଳର ତାରକା ପ୍ରଚାରକଙ୍କ ନିର୍ବାଚନୀ ଭାଷଣ ବିବାଦୀୟ ଓ ଅନର୍ଥକାରୀ ରହୁଥିବାରୁ କମିସନ ତତ୍କାଳ ଏଥିରେ ପରିବର୍ତ୍ତନ ଆଣିବାକୁ କଡ଼ା ଚେତାବନୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଉଭୟ ଦଳ ପରସ୍ପର ବିରୋଧରେ ଅଭିଯୋଗ କରିବାରୁ କମିସନ୍‌ ଉଭୟ ଦଳର ସଭାପତିଙ୍କୁ ଆଜି ପୃଥକ୍‌ ନିର୍ଦ୍ଦେଶ ଜାରି କରିଛନ୍ତି। ବିଜେପି ଏବଂ କଂଗ୍ରେସ ଦଳର ତାରକା ପ୍ରଚାରକଙ୍କ ଦ୍ବାରା ହେଉଥିବା ପ୍ରଚାରର ମାନ ଉପରେ କମିସନ ପ୍ରଶ୍ନ କରିଛନ୍ତି।

କମିସନ କହିଛନ୍ତି, ନିର୍ବାଚନରେ ଦେଶର ସାମାଜିକ-ସାଂସ୍କୃତିକ ପରିବେଶକୁ ବଳି ପକାଇ ହେବନାହିଁ। ନିର୍ବାଚନ ହେଉଛି ଏକ ପ୍ରକ୍ରିୟା ଯେଉଁଠାରେ ରାଜନୈତିକ ଦଳଗୁଡ଼ିକ କେବଳ ଜିତିବା ପାଇଁ ଲଢ଼ନ୍ତିନି ବରଂ ଭୋଟିଂ ସମ୍ପ୍ରଦାୟରେ ନିଜର ଉତ୍ତମ ବିଚାରଧାରାକୁ ଉପସ୍ଥାପନ କରିବାପାଇଁ ଏହା ଏକ ସୁଯୋଗ। ଜାତି, ସମ୍ପ୍ରଦାୟ, ଭାଷା ଏବଂ ଧର୍ମ ଆଧାରରେ ପ୍ରଚାର କରିଥିବାରୁ କମିସନ ଆଜି ବିଜେପି ଏବଂ କଂଗ୍ରେସ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳଗୁଡ଼ିକ ପ୍ରଚାର ସମୟରେ ଧାର୍ମିକ ଏବଂ ସାମ୍ପ୍ରଦାୟିକ ଟିପ୍ପଣୀରୁ ଦୂରେଇ ରହିବାପାଇଁ କମିସନ କଡ଼ା ତାଗିଦ କରିଛନ୍ତି। ସମାଜରେ ବିଭାଜନ ସୃଷ୍ଟି କଲାଭଳି ପ୍ରଚାର ଭାଷଣ ବନ୍ଦ କରିବାପାଇଁ ଇସି ବିଜେପିକୁ କହିଛନ୍ତି। ଇସି ବିଜେପି ସଭାପତିଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ସମସ୍ତ ତାରକା ପ୍ରଚାରକ ଯେଭଳି ଏହାକୁ କଡ଼ାକଡ଼ି ପାଳନ କରିବେ ସେଦିଗରେ ପଦକ୍ଷେପ ନେବାକୁ ପଡ଼ିବ। ତାରକା ପ୍ରଚାରକମାନେ ଯେଭଳି ସମାଜରେ ବିଭାଜନ ସୃଷ୍ଟି କଲାଭଳି ଟିପ୍ପଣୀ ଏବଂ ଭାଷଣ ନଦେବେ ତାହା ସୁନିଶ୍ଚିତ କରିବା ଜରୁରୀ ବୋଲି କମିସନ କହିଛନ୍ତି।
କଂଗ୍ରେସର ତାରକା ପ୍ରଚାରକ ରାହୁଲ ଗାନ୍ଧୀ ଭାରତୀୟ ସମ୍ବିଧାନ ବଦଳିଯିବ, ସଂରକ୍ଷଣ ଉଠିଯିବ ଏବଂ ଦେଶ ବିକ୍ରି ହୋଇଯିବା ଭଳି ବିଭ୍ରାନ୍ତିକର ଟିପ୍ପଣୀ ନଦେବାପାଇଁ ଇସି କଂଗ୍ରେସ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିବୀର ପ୍ରସଙ୍ଗରେ ନିର୍ବାଚନ କମିସନ କଂଗ୍ରେସ ପ୍ରଚାରକ ଏବଂ ପ୍ରାର୍ଥୀଙ୍କୁ କହିଛନ୍ତି ଯେ ସୁରକ୍ଷା ବାହିନୀକୁ ନେଇ କୌଣସି ରାଜନୀତି କରନାହିଁ। ଭିନ୍ନ ଭିନ୍ନ ଜାତି, ସମ୍ପ୍ରଦାୟ, ଧର୍ମ ମଧ୍ୟରେ ଅସନ୍ତୋଷ ଏବଂ ଉତ୍ତେଜନା ବଢ଼ାଇବା ଭଳି କାର୍ଯ୍ୟରେ କୌଣସି ବି ଦଳ ସମ୍ପୃକ୍ତ ରହିବା ବରଦାସ୍ତ କରାଯିବ ନାହିଁ ବୋଲି ଇସି କହିଛନ୍ତି।

ସମ୍ବନ୍ଧିତ ଖବର