ଚିଦମ୍ବରମଙ୍କୁ ଇଡି ଗିରଫ କରିବାକୁ ଅନୁମତି, ମର୍ଯ୍ୟାଦାକୁ ଧ୍ୟାନରେ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ଙ୍କୁ ତିହାର ଜେଲ୍‌ରେ ଜେରା କରିବାକୁ ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି। ଜେରା କରିବା ପରେ ଇଡି ଚିଦମ୍ବରଙ୍କୁ ଗିରଫ କରିବ। ମାତ୍ର, ପୂର୍ବତନ ଅର୍ଥମନ୍ତ୍ରୀ ଚିଦମ୍ବରମଙ୍କ ମର୍ଯ୍ୟାଦାକୁ ଧ୍ୟାନରେ ରଖି ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି କୋର୍ଟ କହିଛନ୍ତି। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଚିଦମ୍ବରମ୍‌ଙ୍କୁ ଗିରଫ କରିଥିଲା। ଆଇଏନ୍‌ଏକ୍ସ ମାମଲାରେ ଚିଦମ୍ବରମ୍‌ଙ୍କୁ ଜେରା କରିବାକୁ ଇଡି ସିବିଆଇ କୋର୍ଟର ଅନୁମତି ମାଗିଥିଲା। ସ୍ବତନ୍ତ୍ର ଜଜ୍‌ ଅଜୟ କୁମାର କୁହାର ଉଭୟ ପକ୍ଷର ଶୁଣାଣି କରି ଚିଦମ୍ବରମ୍‌ଙ୍କୁ ଜେରା କରିବାକୁ ଇଡିକୁ ଅନୁମତି ଦେଇଛନ୍ତି। ଜେରା କରିବା ପରେ ଆବଶ୍ୟକ ଅନୁଯାୟୀ ଇଡି ଚିଦମ୍ବରମ୍‌ଙ୍କୁ ଗିରଫ କରିପାରେ ବୋଲି ସ୍ବତନ୍ତ୍ର ଜଜ୍‌ ନିର୍ଦ୍ଦେଶ ଦେଇଛନ୍ତି। ଚିଦମ୍ବରମ୍‌ଙ୍କୁ ୨୦ ମିନିଟ୍‌ ଇଡି ଜେରା କରିବ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା‌ କହିଛନ୍ତି। ସୂଚନାଯୋଗ୍ୟ, ଆଇଏନ୍‌ଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି। ପିଟର ଏବଂ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଦ୍ବାରା ପ୍ରତିଷ୍ଠିତ ଆଇଏନ୍‌ଏକ୍ସ ମିଡିଆକୁ ଫରେନ୍‌ ଇନ୍‌ଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ (ଏଫ୍‌ଆଇପିବି) ମଂଜୁରି ନେଇ ହୋଇଥିବା ଅନିୟମିତତାରେ ସିବିଆଇ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର