ଘରୁ ‘ଏକେ-୪୭’ ରାଇଫଲ୍‌ ଉଦ୍ଧାର କରିବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ପ୍ରେମ୍‌ ପ୍ରକାଶଙ୍କୁ ଗିରଫ କଲା ‘ଇଡି’

ରାଞ୍ଚି: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଥିବା ପ୍ରେମ୍‌ ପ୍ରକାଶଙ୍କୁ ବୁଧବାର ରାତିରେ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛି।

୧୦୦ କୋଟି ଟଙ୍କାର ବେଆଇନ ଖଣି ଖୋଦନ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟର ଗୁଇନ୍ଦାମାନେ ତାଙ୍କ ଘରେ ତଲାସ ଅଭିଯାନ ଚଳାଇଥିବା ବେଳେ ୨ଟି ‘ଏକେ-୪୭’ ରାଇଫଲ୍‌ ଓ ୬୦ଟି ଗୁଳି ପାଇଥିଲେ। ସେଥିପାଇଁ ସ‌େ ଦୁଇ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି ବ‌ୋଲି ରାଞ୍ଚି ପୁଲିସ ବିବୃତି ଦେଇଛି।

‘ମନି ଲଣ୍ଡରିଙ୍ଗ୍‌ ଆଇନ୍‌’ ଅନୁଯାୟୀ ତାଙ୍କୁ ରାଞ୍ଚିରୁ ଗିରଫ କରାଯାଇଛି।

Image Courtesy of India Today

ଗୋଡ୍ଡାର ‘ବିଜେପି’ ସାଂସଦ ନିଶିକାନ୍ତ ଦୁବେ ଟୁଇଟ୍‌ କରି ଲେଖିଛନ୍ତି, ପ୍ରବର୍ତ୍ତନ ନିର୍ଦେଶାଳୟ ପ୍ରେମ୍‌ ପ୍ରକାଶଙ୍କୁ ଗିରଫ କରିଛି। ପ୍ରକାଶ ହେଉଛନ୍ତି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଓ ତାଙ୍କ ପାରିବାରିକ ବନ୍ଧୁ ଅମିତ ଅଗ୍ରୱାଲ୍‌ଙ୍କ ସହଯୋଗୀ। ତେଣୁ, ପ୍ରକାଶଙ୍କ ଯୋଗାଯୋଗ ଥିବା ସମସ୍ତ ସ୍ଥାନରେ ‘ଏନ୍‌ଆଇଏ’ ତଦନ୍ତ କରିବା ଉଚିତ।

ଅର୍‌ଗୋରା ଥାନାର ‘ଏସ୍‌ଏଚ୍‌ଓ’ ବିନୋଦ କୁମାର କହିଛନ୍ତି, ପ୍ରେମ୍‌ ପ୍ରକାଶଙ୍କ ଘରୁ ଉଦ୍ଧାର ହୋଇଥିବା ରାଇଫଲ୍‌ ୨ଟି ପୁଲିସ କର୍ମଚାରୀଙ୍କର। ନିଜ ନିଜର ରାଇଫଲ୍‌ ପ୍ରେମ୍‌ ପ୍ରକାଶଙ୍କ ଘରେ ରଖିଥିବା କାରଣରୁ ୨ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରିଥିବା କଥା ରାଞ୍ଚି ପୁଲିସ କହିଛି।

ମେ ମାସରେ ରିୟଲ୍‌ ଇଷ୍ଟେଟ୍‌ ବ୍ୟବସାୟୀ ପ୍ରେମ୍‌ ପ୍ରକାଶଙ୍କୁ ବେଆଇନ ଖଣି ଖୋଦନ ଏବଂ ଆର୍ଥିକ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜେରା କରିଥିଲା।

ସମ୍ବନ୍ଧିତ ଖବର