‌ସୋନିଆ ଗାନ୍ଧିଙ୍କୁ ଜୁଲାଇ ଶେଷ ସପ୍ତାହ ମଧ୍ୟରେ ଆସି ହାଜର ହେବାକୁ କହିଲା ଇଡି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁ ଚିଠି ଲେଖି ଏଜେନ୍ସି ନିକଟରେ ହାଜର ହେବାକୁ କିଛି ସପ୍ତାହ ସମୟ ମାଗିଥିଲେ। ଏବେ ସୋନିଆ ଗାନ୍ଧିଙ୍କ ଚିଠି ପାଇ ତାଙ୍କୁ ଆଉ କିଛି ସମୟ ଦେବା ପାଇଁ ରାଜି ହୋଇଛି ଇଡି। ଜୁଲାଇ ଶେଷ ସପ୍ତାହ ମଧ୍ୟରେ ଆସି ହାଜର ହେବାକୁ ଇଡି ସୋନିଆ ଗାନ୍ଧିଙ୍କୁୁ କହିଛି।

ବୁଧବାର ସୋନିଆ ଗାନ୍ଧି ଇଡିକୁ ଚିଠି ଲେଖି କହିଥିଲେ ଯେ କୋଭିଡ ଏବଂ ଫୁସଫୁସ ସଂକ୍ରମଣରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ସେ ହାଜର ହୋଇପାରିବେ ନାହିଁ। ଚିଠି ପାଇବା ପରେ ଏବେ ଇଡି ତାଙ୍କୁ ଜୁଲାଇ ଶେଷ ସପ୍ତାହ ପର୍ଯ୍ୟନ୍ତ ସମୟ ଦେଇଛି।

ଉଲ୍ଲେଖଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଜୁନ ୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଡକାଇଥିଲେ। ତେବେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଏବେ ଘରେ ବିଶ୍ରାମ ନେବାକୁ ସୋନିଆଙ୍କୁ ପରାମର୍ଶ ଦିଆଯାଇଛି। ତେଣୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଇଡିଙ୍କୁ ଚିଠି ଲେଖିଥିଲେ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ହାଜର ହେବାକୁ ତାଙ୍କୁ ଆଉ କିଛି ସପ୍ତାହ ସମୟ ଦିଆଯାଉ।

ସୋନିଆ ଗାନ୍ଧି ସୋମବାର ସନ୍ଧ୍ୟାରେ ସାର୍‌ ଗଙ୍ଗାରାମ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ। ଜୁନ୍‌ ୨ରେ ସେ କୋଭିଡ୍‌-୧୯ ପାଇଁ ପଜିଟିଭ୍‌ ପରୀକ୍ଷା କରିବାର କିଛି ଦିନ ପରେ ଜୁନ୍‌ ୧୨ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶ୍ୱାସକ୍ରିୟା ନଳୀରେ ସଂକ୍ରମଣ ଥିବା ମଧ୍ୟ ଚିହ୍ନଟ କରାଯାଇଥିଲା। ଅନ୍ୟ କୋଭିଡ୍‌ ପରବର୍ତ୍ତୀ ଲକ୍ଷଣ ସହିତ ସେ ବର୍ତ୍ତମାନ ଘରେ ଚିକିତ୍ସାଧୀନ ଅବସ୍ଥାରେ ବିଶ୍ରାମରେ ରହିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଟିମ୍ ପକ୍ଷରୁ କୁହାଯାଇଛି।

ତେବେ ୭୫ ବର୍ଷ ବୟସ୍କା ଗାନ୍ଧୀ ଜୁନ୍‌ ୮ରେ ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ତାଙ୍କ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁସନ୍ଧାନ ଏଜେନ୍‌ସିଠାରୁ ଅଧିକ ସମୟ ମଗାଯାଇଥିଲା। ଜୁନ୍‌ ୨୩ ହାଜର ହେବା ପାଇଁ ଇଡି ତାଙ୍କୁ ଏକ ନୂତନ ସମନ ଜାରି କରିଥିଲା।

ସମ୍ବନ୍ଧିତ ଖବର