ନେସନାଲ ହେରାଲଡ ଅଫିସ, ଦିଲ୍ଲୀର ଅନ୍ୟ ୧୧ ସ୍ଥାନରେ ଇଡି ଚଢ଼ଉ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ‘ନେସନାଲ ହେରାଲଡ’ ଖବରକାଗଜର ମୁଖ୍ୟ ଅଫିସ୍‌ ସମେତ ଦିଲ୍ଲୀରେ ଅନ୍ୟ ୧୧ଟି ସ୍ଥାନରେ ଚଢ଼ଉ କରିଛି। ମନି ଲଣ୍ଡରିଂ ମାମଲାର ତଦନ୍ତ ପ୍ରକ୍ରିୟାରେ ଇଡି ପକ୍ଷରୁ ଏହି ଚଢ଼ଉ ହୋଇଛି। ଉଲ୍ଲେଖଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନେସନାଲ ହେରାଲଡ ମନି ଲଣ୍ଡରିଂ ମାମଲାରେ ଜେରା କରିବାପରେ ଇଡି ଆଜି ନେସନ‌ାଲ ହେରାଲଡ ଅଫିସ‌ରେ ଚଢ଼ଉ କରିଛି। ପିଏମଏଲଏ (ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ) ଅଧୀନରେ ଏହି ଚଢ଼ଉ ହୋଇଥିବା ଇଡି ଅଧିକାରୀମାନେ କହିଛନ୍ତି।

ଅନ୍ୟପକ୍ଷେ ନେସନାଲ ହେରାଲଡ ଅଫିସରେ ଇଡି ଚଢ଼ଉକୁ ବିରୋଧ କରି ଆଜି କଂଗ୍ରେସ କର୍ମୀମାନେ ହେରାଲଡ ହାଉସ ବାହାରେ ଆନ୍ଦୋଳନ କରିଛନ୍ତି। ପ୍ଲାକାର୍ଡ ଧରି ସେମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। କଂଗ୍ରେସ ଏନେଇ ସରକାରଙ୍କ ଉପରେ ବର୍ଷିଛି। କଂଗ୍ରେସ କହିଛି ଦର ବୃଦ୍ଧି, ବେକାରୀ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ସରକାର ଦେଇପାରିନାହାନ୍ତି। ତେଣୁ ସେମାନେ ପ୍ରଶ୍ନ କରୁଥିବା ଲୋକଙ୍କୁ ଅପମାନିତ କରିବା ଆରମ୍ଭ କରିଛନ୍ତି। କଂଗ୍ରେସ ସାଂସଦ ଜୟରାମ ରମେଶ ଆଜି ଏକ ଟ୍ବିଟ କରି କହିଛନ୍ତି, ଏଭଳି ପ୍ରତିଶୋଧମୂକଳ ରାଜନୀତିକୁ ଆମେ କଡ଼ା ନିନ୍ଦା କରୁଛୁ। ଯିଏ ମୋଦୀ ସରକାର ବିରୋଧରେ ପାଟି ଖୋଲୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି । ଏଭଳି କାର୍ଯ୍ୟକୁ ଆମେ କଡ଼ା ନିନ୍ଦା କରୁଛୁ । ‘ଆମକୁ ତୁମେ ନିରବ କରିପାରିବନି’ ବୋଲି ଜୟରାମ ରମେଶ କହିଛନ୍ତି।

ସମ୍ବନ୍ଧିତ ଖବର