ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ୧୦ମ ସମନ ଦେବା ପାଇଁ ଇଡି ଟିମ୍ ଗୁରୁବାର (ମାର୍ଚ୍ଚ ୨୧, ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଥିଲା। ଏହି ମାମଲାରେ ପଚରାଉଚରା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ୯ଟି ସମନ ଜାରି କରିଥିଲେ ମଧ୍ୟ ସେ ଥରେ ବି ହାଜର ହୋଇନାହାନ୍ତି। କିନ୍ତୁ ୧୦ମ ସମନ ଦେବା ପରେ ତାଙ୍କ ଉପରେ ଗିରଫଦାରିର ଖଣ୍ଡା ଝୁଲିବାରେ ଲାଗିଛି ।

Advertisment

ନବମ ସମନରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିଓ୍ଵାଲ ଗୁରୁବାର ହାଜର ହେବାର ଥିଲା। ଏ ନେଇ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ ଏଠାରୁ ଆଶ୍ୱସ୍ତି ମିଳିନଥିଲା। ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ କୌଣସି କାର୍ଯ୍ୟାନୁଷ୍ଠାନରୁ କୌଣସି ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଅଦାଲତ କହିଥିଲେ ଯେ ବର୍ତ୍ତମାନ ସମୟରେ ଆମେ ଅନ୍ତରୀଣ ରିଲିଫ ଦେବାକୁ ଇଚ୍ଛୁକ ନୁହଁ। ତେବେ ଅଦାଲତ ନୂଆ ଅନ୍ତରୀଣ ଆବେଦନ ଉପରେ ଇଡିର ଜବାବ ମାଗିଛନ୍ତି ଏବଂ ମାମଲାର ଶୁଣାଣି ଏପ୍ରିଲ ୨୨କୁ ଧାର୍ଯ୍ୟ କରିଛନ୍ତି।