ନିରବ ମୋଦୀର ୨୫୩ କୋଟିର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ : ପିଏନବି ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀର ୨୫୩.୬୨ କୋଟି ଟଙ୍କାର ସଂପତ୍ତିକୁ ଜବତ କରିଛି ପ୍ରତିଭୂତି ନିର୍ଦ୍ଦେଶାଳୟ ବା ଇଡି । ଏସବୁ ସମ୍ପତ୍ତି ମଧ୍ୟରେ ରହିଛି ଭୂସମ୍ପତ୍ତି, ଜୁଏଲାରୀ ଓ ବ୍ୟାଙ୍କ ଜମା । ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅଧିନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଡି ।

ସୂଚନାଯୋଗ୍ୟ ଯେ, ପ୍ରାୟ ୧୩ ହଜାର କୋଟି ଟଙ୍କାର ପିଏନବି ମହାଦୁର୍ନୀତିର ମୁଖ୍ୟ ନାୟକ ନିରବ ମୋଦୀ ଗତ ୨୦୧୮ରେ ଭାରତରୁ ଫେରାର ହୋଇଯାଇଥିଲା । ପରେ  ଲଣ୍ଡନରେ ଗିରଫ ହୋଇ ସେ ଏକ ଜେଲରେ ରହୁଛି । ଲଣ୍ଡନର ହାଇକୋର୍ଟ ମଧ୍ୟ ତାକୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତା ବିରୋଧରେ ଆପାତତଃ ପ୍ରମାଣ ରହିଥିବା କୋର୍ଟ କହିଥିଲେ । ପୁଣି ଭାରତକୁ ପ୍ରତ୍ୟାର୍ପିତ ହେଲେ ନିରବ ମୋଦିକୁ ଉପଯୁକ୍ତ ନ୍ୟାୟ ନ ମିଳିବାର କୌଣସି ପ୍ରମାଣ ନାହିଁ ବୋଲି କୋର୍ଟଙ୍କ ହୃଦବୋଧ ହୋଇଥିଲା ।

ନିରବ ମୋଦୀ ଓ ତାଙ୍କ ମାମୁଁ ମେହୁଲ ଚୋକସୀ ମିଳିତଭାବେ ଷଡ଼ଯନ୍ତ୍ର କରି ଜାଲ ଏଲଓୟୁ ମାଧ୍ୟମରେ ଏହି ଠକେଇ କରିଥିଲେ । ପିଏନବି ଠକେଇ ମାମଲାର ସିବିଆଇ ତଦନ୍ତ କରୁଛି । କିନ୍ତୁ ଏହା ସହିତ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲାରେ ତଦନ୍ତ କରୁଛି । ମେହୁଲ ଚୋକସି ଏବେ ଆଣ୍ଟିଗୁଆରେ ରହୁଛି । ତାକୁ ମଧ୍ୟ ପ୍ରତ୍ୟାର୍ପଣ କରିବାକୁ ଉଦ୍ୟମ ଜାରି ରହିଛି ।

 

ସମ୍ବନ୍ଧିତ ଖବର