ନିରବ ମୋଦିଙ୍କ ମୁମ୍ବାଇ ଘରେ ଇଡି-ସିବିଆଇର ଚଢଉ, କୋଟି କୋଟି ଟଙ୍କାର ମୂଲ୍ୟବାନ ସାମଗ୍ରୀ ଜବତ

ମୁମ୍ବାଇ : ପ୍ରାୟ ୧୩ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିର ବାସଗୃହରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଲୟ ବା ଇଡି ଏବିଂ ସିବିଆଇ ତରଫରୁ ମିଳିତ ଚଢଉ କରାଯାଇଛି । ଓ୍ଵର୍ଲି ସ୍ଥିତ ବିଳାଶମୟ ସମୁଦ୍ର ମହଲ ଆପାର୍ଟମେଣ୍ଟରେ ହୋଇଥିବା ଏହି ଚଢଉ ଗତ ଗୁରୁୂବାରଠାରୁ ଆରମ୍ଭ ହୋଇଥିଲା ଓ ଆଜି ସମାପ୍ତ ହୋଇଛି । ଏହି ଚଢଉ ବେଳେ ପ୍ରାୟ ୧୫ କୋଟି ଟଙ୍କାର ଦୂର୍ମୂଲ୍ୟ ଜୁଏଲାରୀ, ମୂଲ୍ୟବାନ ପଥର, ୧.୪ କୋଟି ଟଙ୍କାର ମୂଲ୍ୟବାନ ଘଣ୍ଟା ଓ ୧୦ କୋଟି ଟଙ୍କାର ମୂଲ୍ୟବାନ ପେଣ୍ଟିଂ ମିଳିଛି ।

ପିଏନବି ଠକେଇ ମାମଲାର ସିବିଆଇ ତଦନ୍ତ କରୁଛି । କିନ୍ତୁ ଏହା ସହିତ ଇଡି ମଧ୍ୟ ଏକ ମନି ଲଣ୍ଡରିଂ ମାମଲା ରଜ୍ଜୁ କରୁଛି । ଇଡି ପକ୍ଷରୁ କରାଯାଇଥିବା ଏସବୁ ଚଢଉ ଉକ୍ତ ମାମଲାକୁ ଭିତ୍ତିକରି ହୋଇଛି । ମାମଲା ରୁଜ୍ଜୁ ହେବା ପରଠାରୁ ଇଡି ଏପର୍ଯ୍ୟନ୍ତ ସାରା ଦେଶରେ ଥିବା ନିରବ ମୋଦିର ବିଭିନ୍ନ ଷ୍ଟୋର ଓ ସଂପତ୍ତି ଉପରେ ପ୍ରାୟ ୨୫୧ ଥର ଚଢଉ କରିସାରିଲାଣି ।

ଆଜିକୁ ଠିକ ମାସକ ତଳେ ଅର୍ଥାତ ଫେବ୍ରୁଆରୀ ୨୪ରେ ଇଡି ପକ୍ଷରୁ ନିରବଙ୍କ ପ୍ରାୟ ୨୧ଟି ସଂପତ୍ତି ଉପରେ ଚଢଉ କରାଯାଇଛି । ଏହା ମଧ୍ୟରେ ନିରବଙ୍କ ବିଳାଶମୟ ପେଣ୍ଟହାଉସ୍‌, ଏକ ଫାର୍ମହାଉସ, ୬ଟି ବାସଗୃହ,୧୦ଟି ଅଫିସ ଘର,ପୁନେରେ ୨ଟି ଫ୍ଲାଟ୍‌, ଏକ ସୋଲାର ପାଓ୍ଵାର ପ୍ଲାଣ୍ଟ, ଅହମଦନଗର ଜିଲ୍ଲାର କାରଜାତଠାରେ ଥିବା ୧୩୫ ଏକର ଜମି ଆଦି ଅନ୍ତର୍ଭୁକ୍ତ ।ଏଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୫୨୩ କୋଟି ଟଙ୍କା ହେବ । ଏଗୁଡ଼ିକ ମଧ୍ୟରୁ କେତେକ ନିରବ ମୋଦିଙ୍କ ନାମରେ, ଆଉ କେତେକ ତାଙ୍କ ପତ୍ନୀ ଅମି ମୋଦିଙ୍କ ନାମରେ ଓ ଆଉ କେତେକ ତାଙ୍କ କମ୍ପାନି ଫାୟାରଷ୍ଟାର ଇଣ୍ଟରନାସନାଲ ନାମରେ ରହିଛି ।

ସମ୍ବନ୍ଧିତ ଖବର