ବୀରଭଦ୍ରଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲେ ଇଡି

ନୂଆଦିଲ୍ଲୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଜି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଏବଂ ତାଙ୍କ ପତ୍ନୀ ପ୍ରତିଭା ସିଂହଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ସନ୍ତୋଷ ସ୍ନେହି ମନ୍‌ଙ୍କ ଜାନୁଆରୀ ୨୨ ତାରିଖ ନିର୍ଦ୍ଦେଶ ଅନୁସାରେ ଇଡି ଆଜି ବୀରଭଦ୍ର ଏବଂ ତାଙ୍କ ପତ୍ନୀ ପ୍ରତିଭାଙ୍କ ସମେତ ସମୁଦାୟ ୬ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ କୋର୍ଟ ମାମଲାର ବିଚାର ପାଇଁ ଫେବ୍ରୁଆରୀ ୧୨ ତାରିଖକୁ ଧାର୍ଯ୍ୟ କରିଛନ୍ତି। ସିଂହଙ୍କ ବାଦ୍‌ ‘ୟୁନିଭର୍ସାଲ ଆପଲ’ର ଚୁନ୍ନି ଲାଲ୍‌ ଚୌହାନ୍‌, ଏଲଆଇସି ଏଜେଣ୍ଟ୍‌ ଆନନ୍ଦ ଚୌହାନ ଏବଂ ଅନ୍ୟ ଦୁଇଜଣ ଅଭିଯୁକ୍ତ ପ୍ରେମ ରାଜ ଏବଂ ଲଓ୍ଵନ କୁମାର ରୋଚ୍‌ଙ୍କ ବିରୋଧରେ ବେଆଇନ ଆର୍ଥିକ କାରବାର ନେଇ ଚାର୍ଜସିଟ୍‌ ଦାଏର ହୋଇଛି। ସିବିଆଇ ଦ୍ୱାରା ଦାଏର ହୋଇଥିବା ଅନ୍ୟ ଏକ ମାମଲାରେ ମଧ୍ୟ ବୀରଭଦ୍ର ସିଂହ, ତାଙ୍କ ପତ୍ନୀ ପ୍ରତିଭା ଏବଂ ଚୌହାନଙ୍କ ବିରୋଧରେ ଚାର୍ଜସିଟ୍‌ ଦାଏର ହୋଇଛି। ସିବିଆଇ ଦାବି ଅନୁଯାୟୀ ବୀରଭଦ୍ର ସିଂହ ଆୟ ବହିର୍ଭୁତ ୧୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଯାହା ସେ କେନ୍ଦ୍ର ମନ୍ତ୍ରୀ ଥିବା ସମୟରେ ତାଙ୍କ ସମୁଦାୟ ଆୟଠାରୁ ଯଥେଷ୍ଟ ଅଧିକ ଥିଲା।

ସମ୍ବନ୍ଧିତ ଖବର