ନୂଆଦିଲ୍ଲୀ: ସରକାରୀ ଗସ୍ତରେ ଯାଇ ୱାସିଂଟନ୍ ଡିସିରେ ପହଞ୍ଚିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜନୈତିକ ହାତ-ବାରସୀ ନୁହେଁ, ନିଜ କାର୍ଯ୍ୟ ସମ୍ପାଦନ କରିବାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ସମ୍ପୂର୍ଣ୍ଣ ମୁକ୍ତ।
‘ପ୍ରବର୍ତ୍ତନ ନିର୍ଦେଶାଳୟ’କୁ ନାଗରିକମାନଙ୍କ ବିରୋଧରେ ଉପଯୋଗ କରାଯାଉଛି କି, ବୋଲି ପଚାରିବାରୁ ଅର୍ଥମନ୍ତ୍ରୀ କହିଲେ, ‘ଇଡି’ ହେଉଛି ଗୋଟାଏ ଏଜେନ୍ସି ଯେ, ବଡ଼ ବଡ଼ ଅପରାଧରେ ସଂଶ୍ଲିଷ୍ଟ ଥିବା ଛୋଟ ଛୋଟ ଉପାଦାନଗୁଡ଼ିକର ତଦନ୍ତ କରେ। ଆପଣା କାର୍ଯ୍ୟ କ୍ଷେତ୍ରରେ ‘ଇଡି’ ସମ୍ପୂର୍ଣ୍ଣ ସ୍ବାଧୀନ। କିଛି ନା କିଛି ପ୍ରମାଣ ପାଇଥିବାରୁ ‘ଇଡି’ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଦୃଷ୍ଟାନ୍ତସ୍ବରୂପ ସେ ଭଳି ଅନେକ ମାମଲା ରହିଛି।
ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ‘ଜି୨୦’ ଏବଂ ତା’ର ଗୁରୁତ୍ବ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି, ଅନେକ ‘ଜି୨୦’ ସଦସ୍ୟମାନଙ୍କ ସହିତ ଆମେ ଦ୍ବିପାକ୍ଷିକ ଆଲୋଚନା କରିଛୁ। ଅନେକ ଚାଲେଞ୍ଜ୍ ଥିବା ବେଳେ ଆମେ ଅଧ୍ୟକ୍ଷତା ଗ୍ରହଣ କରୁଛୁ। ସବୁ ସମସ୍ୟାକୁ ଠିକଣା ବାଟରେ ପରିଚାଳନା କରିବା ଲାଗି ସଦସ୍ୟମାନଙ୍କ ସହ ମିଶି କାମ କରିବାକୁ ପଡ଼ିବ।
ଦେଶ ସବୁ କୋଇଲାକୁ ଆଦରି ନେବା କଥା ପାଶ୍ଚାତ୍ୟ ବିଶ୍ବ ଦେଖିଲେଣି, ଅଷ୍ଟ୍ରିଆ ମଧ୍ୟ ସେ କଥା କହି ସାରିଲାଣି। ଇଂଲଣ୍ଡ୍ରେ ପୁରାତନ ତାପଜ ବିଦ୍ୟୁତ୍ କେନ୍ଦ୍ରମାନଙ୍କରୁ ଗୋଟାଏ ପୁଣି କାର୍ଯ୍ୟକ୍ଷମ ହେଲାଣି। ପ୍ରାକୃତିକ ବାଷ୍ପ ଖରିଦ କରିବା ସମ୍ଭବ ହେଉ ନ ଥିବାରୁ ବା ମିଳୁ ନ ଥିବାରୁ କେବଳ ଭାରତ ନୁହେଁ, ଅନେକ ରାଷ୍ଟ୍ର ଶକ୍ତି ଉତ୍ପାଦନ ନିମନ୍ତେ କୋଇଲାକୁ ଆପଣାଇଲେଣି ବୋଲି ସେ କହିଛନ୍ତି।
ଡଲାର୍ ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ମୁକାବିଲା କରିବା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ପ୍ରସଙ୍ଗରେ ପଚାରିବାରୁ ସେ କହିଲେ, ‘ଜିଓ-ପଲିଟିକାଲ୍’ ଉତ୍ତେଜନା ବୃଦ୍ଧି ଯୋଗୁଁ ଏଭଳି ଘଟୁଛି। ସେ ଯାହାହେଉ, ଏହାର ମୁକାବିଲା ନିମନ୍ତେ ପଦକ୍ଷେପ ସବୁ ଗ୍ରହଣ କରାଯାଇଛି। ସେହିପରି, ଚାରିଆଡ଼େ ନିଅଣ୍ଟିଆ ବ୍ୟବସାୟ ମଧ୍ୟ ବୃଦ୍ଧି ପାଉଛି। କିନ୍ତୁ, ଆମେ ସେଥିପ୍ରତି ଦୃଷ୍ଟି ରଖିଛୁ।