ଆର୍ଥିକ ଦୁର୍ନୀତି ଘଟଣାରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଗପୁର ବାସଭବନରେ ତଲାସ ଚଳାଇଛି ପ୍ରବର୍ତ୍ତନ ନିର୍ଦେଶାଳୟ

ମୁମ୍ବାଇ: ଆର୍ଥିକ ଦୁର୍ନୀତି ଘଟଣାରେ ଶୁକ୍ରବାର ବଡ଼ି ସକାଳୁ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଗପୁର ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ ତଲାସ ଚଳାଇଛି। ତଲାସ ବେଳେ ଦେଶମୁଖ ଘରେ ଉପସ୍ଥିତ ଥିଲେ କି, ନାହିଁ ତାହା ଜଣାପଡ଼ିନାହିଁ।

ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଉଲ୍ଲେଖ କରି ମୁମ୍ବାଇର ପୂର୍ବତନ ପୁଲିସ କମିସନର୍‌ ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ପତ୍ର ଲେଖିବାରୁ ବରିଷ୍ଠ ଏନ୍‌ସିପି ନେତା ଦେଶମୁଖ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ।

Image Courtesy of India Today

ମାର୍ଚ ମାସରେ ମୁକେଶ ଅମ୍ବାନିଙ୍କ ବାସଭବନ ବାହାରେ ନିରାପତ୍ତା ଆତଙ୍କ ସହ ଜଡ଼ିତ ଏକାଧିକ ତଦନ୍ତ ଚାଲିଥିବା ବ‌େଳେ ମୁମ୍ବାଇର ଶୀର୍ଷସ୍ତରୀୟ ପୁଲିସ ଅଧିକାରୀ ପରମବୀର ସିଂହଙ୍କୁ ହଠାତ୍ ହଟାଇ ଦିଆଯାଇଥିଲା। ଅଭିଯୋଗ ପତ୍ରରେ ସେ ଲେଖିଥିଲେ ଯେ, ରେସ୍ତୋରାଁ ଏବଂ ବାର୍‌ ମାଲିକମାନଙ୍କ ଠାରୁ ଟଙ୍କା ଆଦାୟ କରିବା ଲାଗି ପୁଲିସ ଅଧିକାରୀମାନଙ୍କୁ ଦେଶମୁଖ କହିଥିଲେ। ଏହା ବ୍ୟତିରେକେ, ପୂର୍ବତନ ସହକାରୀ ପୁଲିସ ଇନ୍‌ସ୍‌ପେକ୍ଟର୍‌ ସଚିନ ୱାଜେ ଏବଂ ଏସିପି ସଞ୍ଜୟ ପାଟିଲ୍‌ଙ୍କୁ ମଧ୍ୟ ମାସକୁ ମାସ ୧୦୦ କୋଟି ଟଙ୍କା ଆଦାୟ କରିବା ଲାଗି କୁହାଯାଇଥିବା କଥା ସେ ଅଭିଯୋଗ କରିଥିଲେ। କିନ୍ତୁ, ଦେଶମୁଖ ସମସ୍ତ ଅଭିଯୋଗ ଅସ୍ବୀକାର କରିଥିଲେ।

Image Courtesy of India Today

ଉପରୋକ୍ତ ଅଭିଯୋଗ ପରେ, ପ୍ରାଥମିକ ତଦନ୍ତ ଚଳାଇ ‘ସିବିଆଇ’ ଅନୀଲ ଦେଶମୁଖଙ୍କ ନାମରେ ‘ଏଫ୍ଆଇଆର୍‌’ ରେଜିଷ୍ଟ୍ରି କରିଥିଲା।

ଏପ୍ରିଲ୍‌ ମାସରେ ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତଙ୍କ ନେତୃତ୍ବାଧୀନ ହାଇକୋର୍ଟଙ୍କର ଖଣ୍ଡପୀଠ ଅନୀଲ‌ ଦେଶମୁଖଙ୍କ ବିରୋଧରେ ତଦନ୍ତ କରିବା ଲାଗି ‘ସିବିଆଇ’କୁ ନିର୍ଦେଶ ଦେବା ପରେ ମୁମ୍ବାଇର ଏକ ଥାନାରେ ଦାଏର ହୋଇଥିବା ଅଭିଯୋଗକୁ ଭିତ୍ତି କରି ଏହି ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିଲା।

ଏହା ବ୍ୟତିରେକେ, ପ୍ରବର୍ତ୍ତନ ନିର୍ଦେଶାଳୟ ମଧ୍ୟ ତାଙ୍କ ବିରୋଧରେ ଆର୍ଥିକ ଦୁର୍ନୀତି ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର