ନିରବ ମୋଦି ବିରୋଧରେ ୧୨ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଇଡି

ମୁମ୍ବାଇ : ପ୍ରତିଭୂତି ନିର୍ଦ୍ଦେଶାଳୟ (ଇଡି) ପିଏନବି ଋଣଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ନାଁରେ ପ୍ରଥମ ଚାର୍ଜସିଟ ଦାଖଲ କରିଛି । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ପ୍ରାୟ ୧୨ ହଜାର ପୃଷ୍ଠାର ଏହି ଚାର୍ଜସିଟ ଦାଖଲ ହୋଇଛି । ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆଇନ ଅନୁସାରେ ଏହି ଚାର୍ଜସିଟ ପ୍ରସ୍ତୁତ କରାଯାଇଛି । ଏହି ଠକେଇର ଅନ୍ୟତମ ଅଭିଯୁକ୍ତ ତଥା ନିରବ ମୋଦିଙ୍କ ମାମୁଁ ମେହୁଲ ଚୋକସୀଙ୍କ ବିରୋଧରେ ଏକ ଦ୍ୱିତୀୟ ଚାର୍ଜସିଟ ଦାଖଲ ହେବ ବୋଲି ଜଣାପଡିଛି । କିଛି ଦିନ ତଳେ ଇଡି ନିରବ ମୋଦିଙ୍କର ୮୫ କୋଟି ଟଙ୍କାର ହୀରା ଅଳଙ୍କାର ଜବତ କରିଥିଲା । ଏହା ପୂର୍ବରୁ ମଧ୍ୟ ୧୭୦ କୋଟିର ଅଲଙ୍କାର ଜବତ ହୋଇଥିଲା ।

ସୂଚନାଯୋଗ୍ୟ ଯେ ପ୍ରାୟ ୧୩ ହଜାର କୋଟି ଟଙ୍କାର ପିଏନବି ମହାଦୁର୍ନୀତିର ମୁଖ୍ୟ ନାୟକ କୁହାଯାଉଥିବା ନିରବ ମୋଦି ହଂକଂରେ ଥିବା ଗତ ମାର୍ଚ୍ଚ ମାସରେ ହିଁ ଜଣାପଡିଥିଲା । କିନ୍ତୁ ଇତି ମଧ୍ୟରେ ସେ ନ୍ୟୁୟର୍କ ଚାଲିଯାଇଥିବା ସଂଦେହ କରାଯାଉଛି । ନିରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସୀ ମିଳିତଭାବେ ଷଡ଼ଯନ୍ତ୍ର କରି ଜାଲ ଏଲଓୟୁ ମାଧ୍ୟମରେ ଏହି ଠକେଇ କରିଥିବା ଜଣାପଡିଛି । ପିଏନବି ଠକେଇ ମାମଲାର ସିବିଆଇ ତଦନ୍ତ କରୁଛି । କିନ୍ତୁ ଏହା ସହିତ ଇଡି ମଧ୍ୟ ଏକ ମନି ଲଣ୍ଡରିଂ ମାମଲା ରଜ୍ଜୁ କରିଥିଲା ।

ସମ୍ବନ୍ଧିତ ଖବର