ପିଏଫଆଇ ବିରୋଧରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ଅଚଳ କଲା ବ୍ୟାଙ୍କ ଖାତା

ନୂଆଦିଲ୍ଲୀ : ବିଚ୍ଛିନ୍ନତାବାଦୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ବା ପିଏଫଆଇ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପ୍ରତିଭୂତି ନିର୍ଦ୍ଦେଶାଳୟ ବା ଇଡି । ଇଡି ପକ୍ଷରୁ ପିଏଫଆଇର କେତେକ ବ୍ୟାଙ୍କ ଖାତାକୁ ଅଚଳ କରିଦିଆଯାଇଛି । ବେଆଇନ ଅର୍ଥ କାରବାର ନିରୋଧୀ ଆଇନ ବଳରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏ ସମ୍ପର୍କରେ ଇଡି ପକ୍ଷରୁ ଏକ ଟୁଇଟ୍ କରି କୁହାଯାଇଛି ଯେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଓ ରିହାବ ଇଣ୍ଡିଆ ଫାଉଣ୍ଡେସନର କେତେକ ବ୍ୟାଙ୍କ ଖାତାକୁ ଅସ୍ଥାୟୀ ଭାବେ ଅଚଳ କରିଦିଆଯାଇଛି । ଏସବୁ ଖାତାରେ ମୋଟ ୬୮ ଲକ୍ଷ ୬୨ ହଜାର ଟଙ୍କାର ଜମା ଥିଲା । ଏନଆଇଏ ଓ କେରଳ ପୁଲିସର ଅନୁରୋଧ କ୍ରମେ ଇଡି ପକ୍ଷରୁ ପିଏଫଆଇର ବେଆଇନ ଅର୍ଥ କାରବାରକୁ ନେଇ ୨୦୧୮ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରାଯାଉଛି । ଏହି ତଦନ୍ତ ବେଳେ ଇଡି ଜାଣିବାକୁ ପାଇଛି ଯେ ପିଏଫଆଇର କେତେକ ସଦସ୍ୟଙ୍କ ଦ୍ବାରା ବେଆଇନ ଓ ଅପରାଧିକ ଉପାୟରେ ଉପାର୍ଜିତ ଅର୍ଥକୁ ପିଏଫଆଇ ପକ୍ଷରୁ କେତେକ ପ୍ରକଳ୍ପରେ ଲଗାଯାଇଛି । ୨୦୨୦ରେ ଇ଼ଡି ପକ୍ଷରୁ ଦେଶର ୯ଟି ରାଜ୍ୟର କେତେକ ସ୍ଥାନରେ ଚଢଉ କରାଯାଇଥିଲା ।

୨୦୨୦ରେ ଆରମ୍ଭରେ ହୋଇଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ପଛରେ ଏହି ସଂଗଠନର ହାତ ଥିବା ଅଭିଯୋଗ ହୋଇଥିଲା । ଏ ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ମଧ୍ୟ ରିପୋର୍ଟ ପ୍ରଦାନ କରିଥିଲେ । ଏହାକୁ ଭିତ୍ତି କରି ଦେଶରେ ପିଏଫଆଇକୁ ନିଷିଦ୍ଧ ଘୋଷିତ କରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦାବି କରିଥିଲେ ।

ସମ୍ବନ୍ଧିତ ଖବର